ବିଜେପି ସାଂସଦଙ୍କ ବିରୋଧରେ ସର୍ବାଧିକ ଅପହରଣ ମାମଲା

ନୂଆଦିଲ୍ଲୀ: ବିଭିନ୍ନ ରାଜନୈତିକ ଦଳର ସାଂସଦ ଏବଂ ବିଧାୟକ ମାନଙ୍କ ବିରୋଧରେ ରହିଥିବା ଅପରାଧିକ ମାମଲା ଗୁଡ଼ିକ ମଧ୍ୟରୁ ସର୍ବାଧିକ ଅପରାଧିକ ମାମଲା ବିଜେପି ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ରହିଛି। ୧୬ ବିଜେପି ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଅପହରଣ ମାମଲା ରହିଥିବା ଜଣାପଡ଼ିଛି। ବର୍ତ୍ତମାନର ୪,୮୬୭ ସାଂସଦ ଏବଂ ବିଧାୟକଙ୍କ ସତ୍ୟପାଠ ଉପରେ ଆଧାରିତ ତଥ୍ୟକୁ ନେଇ ଏହି ରିପୋର୍ଟ ପ୍ରକାଶ କରିଛି ଏଡିଆର (ଆସୋସିଏସନ୍‌ ଫର ଡେମୋକ୍ରାଟିକ୍‌ ରିଫମ୍‌ର୍ସ)। ୭୭୦ ସାଂସଦ ଏବଂ ୪୦୮୬ ରାଜ୍ୟ ବିଧାୟକଙ୍କ ସତ୍ୟପାଠରୁ ଜଣାଯାଇଛି ଯେ ୧୦୨୪ ତଥା ଦେଶର ୨୧ ପ୍ରତିଶତ ସାଂସଦଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି। ଏଥି ମଧ୍ୟରେ ୬୪ଟି ଅପରାଧିକ ମାମଲାରୁ ୧୭ଟି ମାମଲା ବିଭିନ୍ନ ରାଜନୈତିକ ଦଳ ବିରୋଧର ଥିବାବେଳେ ୪ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ବିରୋଧରେ ଅପହରଣ ମାମଲା ରହିଛି।

ବିଜେପିର ୧୬ ଜଣ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ଏହା ପଛକୁ କଂଗ୍ରେସ ଏବଂ ଆରଜେଡିର ଯଥାକ୍ରମେ ୬ ଜଣ ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ଏହି ତାଲିକାରେ ୫ ଜଣ ଏନ୍‌ସିପି ସାଂସଦ, ବିଜେଡି ଏବଂ ଡିଏମ୍‌କେର ୪ ଜଣ ସାଂସଦ, ଏସ୍‌ପି ଏବଂ ଟିଡିପିର ଯଥାକ୍ରମେ ୩ ଜଣ, ତୃଣମୂଳ କଂଗ୍ରେସ, ସିପିଆଇଏମ୍‌, ସିପିଆଇଏମଏଲ୍‌ ଏବଂ ଶିବସେନାର ଯଥାକ୍ରମେ ୨ ଜଣ ଲେଖାଏଁ ବିଧାୟକ ରହିଛନ୍ତି। ସେହିପରି ଲୋକ ଜନଶକ୍ତି ପାର୍ଟି, ଜେଡିୟୁ, ଟିଆରଏସ୍‌ ଏବଂ ଉତ୍ତରପ୍ରଦେଶର ନିଶାଦ ପାର୍ଟିର ମଧ୍ୟ ଜଣେ ଜଣେ ଏହି ତାଲିକାରେ ଅଛନ୍ତି। ଅପରାଧିକ ମାମଲା ରୁଜୁ ହୋଇଥିବା ବିଧାୟକମାନଙ୍କ ମଧ୍ୟରୁ ସର୍ବାଧିକ ବିହାରର ବୋଲି ଜଣାପଡ଼ିଛି। ବିହାରର ୯ ଜଣ ବିଧାୟକ, ଏହା ପଛକୁ ମହାରାଷ୍ଟ୍ରର ୮, ପଶ୍ଚିମ ବଙ୍ଗର ୬, ଓଡ଼ିଶା ଏବଂ ତାମିଲନାଡ଼ୁର ୪, ଆନ୍ଧ୍ରପ୍ରଦେଶ ଗୁଜରାଟ ଏବଂ ରାଜସ୍ଥାନର ଯଥାକ୍ରମେ ୩ ଜଣ ବିଧାୟକଙ୍କ ବିରୋଧରେ ଅପହରଣ ମାମଲା ରହିଛି।

ସମ୍ବନ୍ଧିତ ଖବର