ହୃଦ୍‌ଘାତରେ ବିଜେପି ସାଂସଦ ବନ୍ଦାରୁ ଦତ୍ତାତ୍ରେୟଙ୍କ ୨୧ ବର୍ଷିୟ ପୁତ୍ର ବନ୍ଦାରୁ ବୈଷ୍ଣବଙ୍କ ପରଲୋକ

ହାଇଦ୍ରାବାଦ: ହୃଦ୍‌ଘାତ ଯୋଗୁଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ସାଂସଦ ବନ୍ଦାରୁ ଦତ୍ତାତ୍ରେୟଙ୍କ ୨୧ ବର୍ଷିୟ ପୁତ୍ର ବନ୍ଦାରୁ ବୈଷ୍ଣବଙ୍କର ପରଲୋକ ହୋଇ ଯାଇଛି।

ମଙ୍ଗଳବାର ରାତିରେ ରାମନଗର ବାସଭବନରେ ଘରଲୋକଙ୍କ ସହ ରାତ୍ର ଭୋଜନ ସାରିବା ପରେ ଛାତିରେ ଯନ୍ତ୍ରଣା ହେଉଥିବା କଥା କହିଥିଲେ ବୈଷ୍ଣବ। ତାଙ୍କୁ ମୁଶିରାବାଦସ୍ଥିତ ନାନକର୍ମ କେୟାର୍‌ ହସ୍‌ପିଟାଲ୍‌କୁ ନିଆଯାଇଥିଲା। ସେଠରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ରାତି ସାଢ଼େ ଗୋଟାଏ ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।

ସିକନ୍ଦରାବାଦ ସଂସଦୀୟ ଆସନରୁ ପ୍ରତିନିଧିତ୍ୱ କରୁଥିବା ବୈଷ୍ଣବ ଥିଲେ ଦତ୍ତାତ୍ରେୟଙ୍କର ଏକମାତ୍ର ପୁତ୍ର।

ସହର ଉପକଣ୍ଠରେ ଅବସ୍ଥିତ ମେଡିସିଟି ମେଡିକାଲ୍‌ କଲେଜ୍‌ରେ ସେ ତୃତୀୟ ବାର୍ଷିକୀ ଡାକ୍ତରୀ ଛାତ୍ର ଥିଲେ। ସିକନ୍ଦରାବାଦରେ ଅନୁଷ୍ଠିତ ବିଜେପି କାର୍ଯ୍ୟକଳାପରେ ସେ ପ୍ରତ୍ୟକ୍ଷଭାବେ ସଂଶ୍ଳିଷ୍ଟ ଥିଲେ।

ତାଙ୍କର ବିଜୟଲକ୍ଷ୍ମୀ ନାମ୍ନୀ ଭଉଣୀଟିଏ ଅଛନ୍ତି।

ଶୁଣିବାକୁ ମିଳୁଛି ଯେ ଓଜନ ହ୍ରାସ ପାଇଁ ବୈଷ୍ଣବ ନିଷ୍ଠାପର ଭାବେ ଖାଦ୍ୟ କଟକଣା ମଧ୍ୟରେ ବଞ୍ଚୁଥିଲେ। ସମ୍ଭବତଃ ତାହା ହିଁ ହୃଦ୍‌ଘାତର କାରଣ ହୋଇପାରେ। ଏହାଛଡ଼ା ତାଙ୍କର ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା କି, ବଦଭ୍ୟାସ ନ ଥିଲା।

ବୈଷ୍ଣବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ବହୁ ସଂଖ୍ୟକ ବିଜେପି ନେତା ଓ କର୍ମୀ ଡାକ୍ତରଖାନା ବାହାରେ ରୁଣ୍ଡ ହୋଇଥିଲେ।

ସମ୍ବନ୍ଧିତ ଖବର