ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ଦୁର୍ନୀତି ଅଭିଯୋଗରେ ଲୋକପାଳ ତାଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ବିଜେପି ସାଂସଦ ନିଶିକାନ୍ତ ଦୁବେ ବୁଧବାର ଦାବି କରିଛନ୍ତି। ଏହାର ଜବାବରେ ତୃଣମୂଳ ସାଂସଦ ତଦନ୍ତକୁ ସ୍ୱାଗତ କରି ସିବିଆଇକୁ ୧୩,୦୦୦ କୋଟି ଟଙ୍କାର ଆଦାନୀ କୋଇଲା ଦୁର୍ନୀତି ବିରୋଧରେ ପ୍ରଥମେ ମାମଲା ରୁଜୁ କରିବାକୁ କହିଛନ୍ତି।

Advertisment

ବିଜେପି ସାଂସଦ ନିଶିକାନ୍ତ ଦୁବେ ଟୁଇଟ୍‌ କରି କହିଛନ୍ତି, ‘ମୋ ଅଭିଯୋଗ କ୍ରମେ ଲୋକପାଳ ଆଜି ଅଭିଯୁକ୍ତ ମହୁଆ ମୈତ୍ରଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଧାରରେ ଦୁର୍ନୀତି କରିଥିବାରୁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।’

ତେବେ, ଲୋକପାଳଙ୍କ ଦ୍ୱାରା ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଏପର୍ଯ୍ୟନ୍ତ କୌଣସି ଆଧିକାରୀକ ସୂଚନା ମିଳିନାହିଁ।

ଏ ପ୍ରକାର ସ୍ଥିତିରେ ସାଂସଦ ଦୁବେଙ୍କ ଟୁଇଟ୍‌ର କିଛି ସମୟ ପରେ ମହୁଆ  ଏକ୍ସରେ କରିଥିବା ଏକ ପୋଷ୍ଟରେ କହିଛନ୍ତି, ‘’ସିବିଆଇ ପ୍ରଥମେ ୧୩,୦୦୦ କୋଟି ଟଙ୍କାର ଆଦାନୀ କୋଇଲା ଦୁର୍ନୀତି ଉପରେ ଏଫ୍‌ଆଇଆର୍‌ ଦାଖଲ କରିବା ଆବଶ୍ୟକ। କାରଣ, ଜାତୀୟ ନିରାପତ୍ତା ପ୍ରସଙ୍ଗ ହେଉଛି ଏଫପିଆଇର ମାଲିକାନାରେ ଥିବା (ଇଂକ ଚାଇନା ଏବଂ ୟୁଏଇ) ଆଦାନୀ କମ୍ପାନିମାନେ କେତେ ଭାରତୀୟ ବନ୍ଦର ଏବଂ ବିମାନ ବନ୍ଦରକୁ କିଣୁଛନ୍ତି, ତାହା ସ୍ୱରାଷ୍ଟ୍ର ମନ୍ତ୍ରାଳୟର ମଞ୍ଜୁରୀ ସାପେକ୍ଷ। ତା’ପରେ ସିବିଆଇକୁ ମୁଁ ମୋ ଘରକୁ ଆସିବାକୁ ସ୍ୱାଗତ କରୁଛି...।’’

ଉଲ୍ଲେଖଯୋଗ୍ୟ, ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ନିର୍ଦ୍ଦେଶରେ ଉପହାର ବଦଳରେ ଆଦାନୀ ଗ୍ରୁପ୍‌ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିବା ପାଇଁ ମହୁଆ ମୈତ୍ର ଲୋକସଭାରେ ପ୍ରଶ୍ନ ପଚାରିଥିବା ନିଶିକାନ୍ତ ଦୁବେ ଅଭିଯୋଗ କରିଛନ୍ତି।

ମହୁଆ ଏହି ଅଭିଯୋଗକୁ ଖଣ୍ଡନ କରି ଏହାକୁ ଶାସକ ବିଜେପିର ତାଙ୍କ ବିରୋଧରେ ରାଜନୈତିକ ପ୍ରତିଶୋଧ ବୋଲି କହିଛନ୍ତି। ଲୋକସଭାର ସଦାଚାର (ଏଥିକ୍ସ) କମିଟି ଏବେ ଏହି ମାମଲାର ଅନୁଧ୍ୟାନ କରୁଛି।