ବେଙ୍ଗାଲୁରୁ: କର୍ଣ୍ଣାଟକର ଚିକ୍କାବାଲାପୁର ବିଜେପି ସାଂସଦ କେ. ସୁଧାକର ତାଙ୍କ ଲୋକସଭା ବିଜୟ ଉତ୍ସବ ପାଳନ କରିବା ପାଇଁ ଏକ ପାର୍ଟିର
ଆୟୋଜନ କରିଥିଲେ। କିନ୍ତୁ ଏହି ପାର୍ଟି ଏବେ ଲାଇମଲାଇଟକୁ ଆସିଛି। ଏହାର କାରଣ ହେଉଛି ଏହି ପାର୍ଟିରେ ଖୋଲାଖୋଲି ଭାବେ ମଦ ପରିବେଷଣ କରାଯିବା ସହ ଲୋକଙ୍କ ମଧ୍ୟରେ ମଦ ବୋତଲ ବଣ୍ଟା ଯାଇଛି।

Advertisment

ଟ୍ରକରେ ଭର୍ତ୍ତି ହୋଇ ଆସିଥିବା ମଦ ବୋତଲ ନେବାକୁ ଲୋକମାନେ ଲମ୍ବା ଲାଇନ୍‌ରେ ଠିଆ ହୋଇଥିବାର ଭାଇରାଲ ହୋଇଥିବା ଏହାର ଭିଡ଼ିଓରେ ଦେଖିବାକୁ ମିଳୁଛି।  ସବୁଠୁ କୌତୁହଳର ବିଷୟ ହେଉଛି ପୁଲିସ୍ ସୁରକ୍ଷା ମଧ୍ୟରେ ଏହି ଘଟଣା ଘଟିଛି।

ଏଏନଆଇ ଦ୍ବାରା ଜାରି ହୋଇଥିବା ଏକ ଭିଡିଓରେ ଲୋକମାନେ ଲାଇନରେ ଛିଡା ହୋଇ ନିଜ ପାଳିକୁ ଅପେକ୍ଷା କରୁଥିବାର ଦେଖାଯାଇଛି। ମଦ ବୋତଲଗୁଡିକ ଶାନ୍ତି ଶୃଙ୍ଖଳା ସହିତ ବଣ୍ଟନ କରାଯାଉଛି ଏବଂ ଅନେକ ବୃଦ୍ଧ ବ୍ୟକ୍ତି ମଧ୍ୟ ଲାଇନ୍‌ରେ ମଦ ବୋତଲ ନେବାକୁ ଠିଆ ହୋଇଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି।

କେବଳ ଏତିକି ନୁହେଁ କେ. ସୁଧାକର ଏଥି ପାଇଁ ପୁଲିସ୍‌ ସୁରକ୍ଷା ଦାବି କରି ଏକ ଚିଠି ଲେଖିଥିଲେ ଏବଂ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥି‌ଲେ ପାର୍ଟିରେ ମଦ ବୋତଲ ବଣ୍ଟନ କରାଯିବ। ବିଜେପି ନେତାଙ୍କ ଦ୍ବାରା ପୂଲିସ୍ ବିଭାଗକୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଥିଲା ଏହି କାର୍ଯ୍ୟକ୍ରମ ମଧ୍ୟାହ୍ନ ସାଢ଼େ ୧୨ରୁ ଆରମ୍ଭ ହେବ। ଏଥିରେ ଖାଦ୍ୟ ଓ ମଦ ବ୍ୟବସ୍ଥା କରାଯିବ।

ତେବେ ବେଙ୍ଗାଲୁରୁ ଗ୍ରାମୀଣ ପୋଲିସ ଅଧୀକ୍ଷକ ସି.କେ ବାବା ଏହି କାର୍ଯ୍ୟ କ୍ରମରେ ମଦ୍ୟପାନ ନ କରିବାକୁ ଆୟୋଜକମାନଙ୍କୁ କହିଥିଲେ। ଏହାର ଉଲ୍ଲଂଘନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ ସେ କହିଥିଲେ ପୁଲିସ୍ ଏହି କାର୍ଯ୍ୟକ୍ରମରେ ମଦ୍ୟପାନ ନ କରିବାକୁ ଆୟୋଜକମାନଙ୍କୁ କହିଥିଲେ। ମଦ୍ୟପାନ ପାଇଁ ଅବକାରୀ ବିଭାଗରୁ ସୁଧାକର ଅନୁମତି ଆଣିଥିଲେ। ସି.କେ ବାବା କହିଛନ୍ତି ଏହି ଘଟଣାରେ ପୁଲିସ୍‌ର କୌଣସି ଦୋଷ ନାହିଁ ଏବଂ ଏହା ଅବକାରୀ ବିଭାଗର ଦାୟିତ୍ୱ ଥିଲା।

ଚିକ୍କାବାଲାପୁର ଆସନରୁ କଂଗ୍ରେସର ଏମଏସ ରାଧା ରାମାୟାଙ୍କୁ ୧.୫ ଲକ୍ଷରୁ ଅଧିକ ଭୋଟ୍ ବ୍ୟବଧାନରେ ସୁଧାକର ପରାସ୍ତ କରିଛନ୍ତି । କର୍ଣ୍ଣାଟକର ୨୮ ଟି ଲୋକସଭା ଆସନ ମଧ୍ୟରୁ ଚିକ୍କାବାଲାପୁର ଅନ୍ୟତମ।