କଙ୍ଗନାଙ୍କ ପରେ ବିଜେପି ସାଂସଦ ରବି କିଶନଙ୍କୁ ମିଳିଲା ୱାଇ ପ୍ଲସ୍ ସୁରକ୍ଷା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ପରେ ଏବେ ଅଭିନେତା ତଥା ବିଜେପି ସାଂସଦ ରବି କିଶନଙ୍କୁ ମିଳିବ ୱାଇ ପ୍ଲସ ସୁରକ୍ଷା | ଏ ନେଇ ନିଜ ଟୁଇଟର ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି ଅଭିନେତା ରବି କିଶନ | ଟୁଇଟ ଜରିଆରେ ତାଙ୍କୁ ୱାଇ ପ୍ଲସ ସୁରକ୍ଷା ଦିଆଯାଇଥିବା କଥା ସେ ଲେଖିଛନ୍ତି | ଟୁଇଟରେ, ପୂଜ୍ୟ ମହାରାଜଜୀ, ମୋର ସୁରକ୍ଷାକୁ ଦୃଷ୍ଟିରେ ରଖି, ଆପଣ ଯେଉଁ ୱାଇ ପ୍ଲସ ବର୍ଗର ସୁରକ୍ଷା ମୋତେ ଦେଇଛନ୍ତି, ସେଥିପାଇଁ ମୁଁ, ମୋ ପରିବାର ଏବଂ ମୋ ଲୋକସଭା ନିର୍ବାଚନମଣ୍ଡଳୀର ଲୋକମାନେ ଆପଣଙ୍କ ନିକଟରେ ଋଣୀ। ମୁଁ ସର୍ବଦା ଗୃହରେ ଅନ୍ୟାୟ ପାଇଁ ସ୍ୱର ଉଠାଇବି ବୋଲି ଲେଖିଛନ୍ତି ରବି କିଶନ |

ସୂଚନା ମୁତାବକ, ପୂର୍ବରୁ ସୁଶାନ୍ତଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ମୁହଁ ଖୋଲି ବିବାଦକୁ ଆସିଥିବା ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ୱାଇ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଥିଲା | ତାଙ୍କ ବାପାଙ୍କ ଅନୁରୋଧକ୍ରମେ କଙ୍ଗନାଙ୍କୁ ଏହି ସୁରକ୍ଷା ଦିଆଯାଇଥିବା ଖବର ସାମ୍ନାକୁ ଆସିଥିଲା | କଙ୍ଗନାଙ୍କ ପରେ ଏବେ ରବି କିଶନଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଛି | ସେ ଲଗାତରଭାବେ ଲୋକସଭାରେ ବଲିଉଡରେ ଡ୍ରଗ୍ସ ପ୍ରସଙ୍ଗ ଏବଂ ଅନୁରାଗ କଶ୍ୟପଙ୍କ ବିରୋଧରେ ଲାଗିଥିବା ଯୌନ ନିର୍ଯାତନା ପ୍ରସଙ୍ଗ ଉଠାଇଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା କୁହାଯାଉଛି | ଏ ନେଇ ତାଙ୍କୁ ଉତ୍ତରପ୍ରଦେଶ ସରକାର ୱାଇ ପ୍ଲସ ବର୍ଗର ସୁରକ୍ଷା ପ୍ରଦାନ କରିଛନ୍ତି |

ସମ୍ବନ୍ଧିତ ଖବର