ନୀତୀଶଙ୍କୁ ହଟାଇ ଲାଲୁ କେତେବେଳେ ବି ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିପାରନ୍ତି: ସୁଶୀଲ ମୋଦୀ

ନୂଆଦିଲ୍ଲୀ: ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ବିଜେପି ସାଂସଦ ସୁଶୀଲ ମୋଦୀ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ଆରଜେଡି ସୁପ୍ରିମୋ ଲାଲୁ ଯାଦବ ନୀତୀଶ କୁମାରଙ୍କୁ କେତେବେଳେ ହଟାଇ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିଦେବେ, ତାହା କେହି କହିପାରିବେ ନାହିଁ ବୋଲି କହିଛନ୍ତି ସୁଶୀଲ ମୋଦୀ।

ସୁଶୀଲ ମୋଦୀ କହିଛନ୍ତି ଯେ ବର୍ତ୍ତମାନ ଯଦି ଆରଜେଡି ସଭାପତି ଲାଲୁ ଯାଦବ ଚାହାଁନ୍ତି, ତେବେ ସେ ନୀତୀଶ କୁମାରଙ୍କୁ ହଟାଇ ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିପାରିବେ। ଯେଉଁ ଦଳ ପାଖରେ ୧୧୫ଜଣ ବିଧାୟକଙ୍କ ସମର୍ଥନ ରହିଛି ଏବଂ ବାଚସ୍ପତି ମଧ୍ୟ ସମାନ ଦଳର ଅଟନ୍ତି, ଏଭଳି ସ୍ଥିତିରେ ଯେକୌଣସି ସମୟରେ କିଛି ବି ଘଟିପାରେ। ନୀତୀଶ ବୁଡ଼ି ଯାଉଥିବା ଜାହାଜରେ ପାଦ ରଖିଛନ୍ତି। ସେ କେତେ ଦିନ ମୁଖ୍ୟମନ୍ତ୍ରୀ ରହିବେ ତାହା କେହି ଜାଣିନାହାନ୍ତି। କିନ୍ତୁ ସେ ୨୦୨୪ରେ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି।

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଗିରିରାଜ ସିଂହ ନୀତୀଶଙ୍କୁ କଡ଼ା ସମାଲୋଚନା କରିଥିଲେ। ନୀତୀଶଙ୍କୁ କଟାକ୍ଷ କରି ଗିରିରାଜ କହିଥିଲେ, ନୀତୀଶ ଗୋପନରେ ଦେଶର ପ୍ରଧାନମନ୍ତ୍ରୀ ହେବା ଲକ୍ଷ୍ୟ ରଖିଛନ୍ତି। ନୀତୀଶଙ୍କର ମୁଖ୍ୟମନ୍ତ୍ରୀ ହେବାର ଯୋଗ୍ୟତା ନାହିଁ କିନ୍ତୁ ସେ ଦେଶର ପ୍ରଧାନମନ୍ତ୍ରୀ ହେବାପାଇଁ ସ୍ବପ୍ନ ଦେଖୁଛନ୍ତି।

ସେ ଆହୁରି କହିଥିଲେ ଯେ, ନୀତୀଶ ହେଉଛନ୍ତି ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ କି ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କିନ୍ତୁ ସେ କେବେ ବି ସମ୍ପୂର୍ଣ୍ଣ ଭାବେ ନିଜ ଦଳକୁ ନେଇ ସରକାର ଗଠନ କରିନାହାନ୍ତି। ସବୁବେଳେ ତାଙ୍କୁ ମେଣ୍ଟ ସହଯୋଗୀଙ୍କ ଆବଶ୍ୟକତା ପଡ଼ିଥାଏ। ମେଣ୍ଟ ସହଯୋଗୀଙ୍କୁ ଆଧାର କରି ସେ ସରକାର ଗଠନ କରନ୍ତି। ଗତ ଥର ମହାମେଣ୍ଟରୁ ଓହରିବା ପରେ ସେ ଏନ୍‌ଡିଏରେ ସାମିଲ ହୋଇଥିଲେ। ଆମ ନିକଟରେ ୨ଟି ବାଟ ଥିଲା। ପ୍ରଥମଟି ସଦ୍ୟ ନିର୍ବାଚନ ଏବଂ ଦ୍ବିତୀୟଟି ନୀତୀଶଙ୍କୁ ସମର୍ଥନ। ଆମେ ନୀତୀଶଙ୍କୁ ସମର୍ଥନ କରିଥିଲୁ। କିନ୍ତୁ ଚଳିତ ଥର ସେ ପ୍ରଧାନମନ୍ତ୍ରୀ ହେବାକୁ ଚାହିଛନ୍ତି।

ସମ୍ବନ୍ଧିତ ଖବର