ନୂଆଦିଲ୍ଲୀ/ବାରାବାଙ୍କି: ଉତ୍ତରପ୍ରଦେଶର ବାରବାଙ୍କିର ବିଜେପି ସାଂସଦ ଉପେନ୍ଦ୍ର ସିଂହ ରାୱତ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି। ଏକ ଆପତ୍ତିଜନକ ଭିଡିଓ ଭାଇରାଲ ହେବା ପରେ ବିଜେପି ସାଂସଦ ଏହି ନିଷ୍ପତ୍ତି ନେଇଛନ୍ତି। ବିଜେପି ତାଙ୍କୁ ଏଥର ମଧ୍ୟ ବାରାବାଙ୍କିରୁ ଟିକେଟ୍ ଦେଇଥିଲା। କିନ୍ତୁ ରାୱତ ତାଙ୍କ ଟିକେଟ ଫେରାଇ ଦେଇଛନ୍ତି । ଉପେନ୍ଦ୍ର ସିଂହ ରାୱତ କହିଛନ୍ତି ଯେ କ୍ଲିନ୍ ଚିଟ୍ ନ ମିଳିବା ପର୍ଯ୍ୟନ୍ତ ସେ ନିର୍ବାଚନ ଲଢ଼ିବେ ନାହିଁ।
ଶନିବାର ବିଜେପି ୧୯୫ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନାମ ରହିଛି। ଉପେନ୍ଦ୍ର ସିଂ ରାୱତଙ୍କୁ ପୁଣି ଥରେ ବାରବାଙ୍କିରୁ ଟିକେଟ ଦିଆଯାଇଥିଲା । କିନ୍ତୁ ଏହି ସମୟରେ ଉପେନ୍ଦ୍ର ରାୱତଙ୍କ ଏକ ଆପତ୍ତିଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ଜଣେ ବିଦେଶୀ ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନଜର ଆସିଛନ୍ତି ।
ଭାଇରାଲ ଭିଡିଓ ପରେ ବିଜେପି ସାଂସଦ ଉପେନ୍ଦ୍ର ସିଂ ରାୱତଙ୍କ ପ୍ରଥମ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେ ସ୍ପଷ୍ଟ କରିଛନ୍ତି, "ମୋର ଏକ ଏଡିଟେଡ୍ ଭିଡିଓ ଭାଇରାଲ ହେଉଛି ଯାହା ଡିପ୍ ଫେକ୍ ଏଆଇ ଟେକ୍ନୋଲୋଜି ଦ୍ୱାରା ପ୍ରସ୍ତୁତ ହୋଇଛି, ଯାହାର ଏଫଆଇଆର ମୁଁ ଦେଇଛି । ଏହି ପରିପ୍ରେକ୍ଷୀରେ ମୁଁ ଏହାର ତଦନ୍ତ କରିବାକୁ ରାଷ୍ଟ୍ରୀୟ ସଭାପତିଙ୍କୁ ଅନୁରୋଧ କରିଛି। ନିର୍ଦ୍ଦୋଷ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ମୁଁ ସାର୍ବଜନୀନ ଜୀବନରେ କୌଣସି ନିର୍ବାଚନ ଲଢ଼ିବି ନାହିଁ।“