ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ: ‘ଅଜୟ ଭାରତ, ଅଟଳ ବିଜେପି’

ବିରୋଧୀଙ୍କ ନୀତି ଅସ୍ପଷ୍ଟ, ଉଦ୍ଦେଶ୍ୟ ଭ୍ରଷ୍ଟ: ମୋଦୀ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ନେତାମାନେ ‘ଅଜୟ ଭାରତ, ଅଟଳ ବିଜେପି’ ସ୍ଲୋଗାନ୍‌ ନେଇ କାର୍ଯ୍ୟ କରିବେ। ଏହି ସ୍ଲୋଗାନ୍‌ ବଳରେ ଦଳ ପୁଣି ଶାସନ କ୍ଷମତା ହାତକୁ ନେବ। ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ତଥା ଅନ୍ତିମ ଦିନରେ ଆଜି ଦଳ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟକାରିଣୀ ବୈଠକରେ ଆଜି ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ୍‌ କରାଯାଇଛି। ୨୦୧୯ ସାଧାରଣ ନିର୍ବାଚନରେ ତୀବ୍ର ପ୍ରତିଯୋଗିତାର ସାମ୍ନା କରିବାକୁ ବିରୋଧୀ ଦଳଗୁଡ଼ିକର କୌଣସି କ୍ଷମତା ନାହିଁ। ସେମାନେ କେବଳ ବାହାସ୍ଫୋଟ ମାରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ସେମାନଙ୍କର ନେତା ନାହାନ୍ତି କିମ୍ବା କୌଣସି ଠୋସ୍‌ ନୀତି ସେମାନେ ଅବଲମ୍ବନ କରୁନାହାନ୍ତି। ବିଜେପିର ଛାମୁଆ ନେତାମାନେ ଆଜି ବିରୋଧୀଙ୍କୁ ଭର୍ତ୍ସନା କରି ଏହା କହିଛନ୍ତି। ବୈଠକର ଉଦ୍‌ଯାପନୀ ସଭାରେ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ବିରୋଧୀ ମହାମେଣ୍ଟର ନେତୃତ୍ୱ ବାବଦରେ କିଛି ବି ସ୍ପଷ୍ଟ ନାହିଁ। ତା’ଛଡ଼ା ସେମାନଙ୍କର ନୀତି ମଧ୍ୟ ଅସ୍ପଷ୍ଟ ରହିଥିବା ବେଳେ ଉଦ୍ଦେଶ୍ୟ ଭ୍ରଷ୍ଟ ଜଣାପଡୁଛି। ବିରୋଧୀ କଂଗ୍ରେସକୁ ତୀବ୍ର ସମାଲୋଚନା କରି ସେ କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପାଇଁ କୌଣସି ଦିଗରୁ ଆହ୍ଵାନ ନାହିଁ। ତେଣୁ ଦଳର ବିଜୟ ନିଶ୍ଚିତ। ଗଣତନ୍ତ୍ରରେ ବିରୋଧୀ ଦଳଗୁଡ଼ିକର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। କାରଣ ସେମାନେ ସରକାରଙ୍କୁ ବିଭିନ୍ନ ଜବାବ ମାଗିଥାନ୍ତି। କିନ୍ତୁ ଠିକ୍‌ରେ ସରକାର ଚଳାଇ ପାରିନଥିବା ଲୋକ କିଭଳି ବିରୋଧୀ ଭୂମିକା ନିର୍ବାହ କରିବ ବୋଲି ମୋଦୀ ପ୍ରଶ୍ନ କରିଛନ୍ତି।

ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ରାଜନୈତିକ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏଥିରେ ୨୦୨୨ ସୁଦ୍ଧା ଦେଶରୁ ଜାତିବାଦ, ସାଂପ୍ରଦାୟିକତା, ଆତଙ୍କବାଦ ଏବଂ ନକ୍ସଲବାଦକୁ ମୂଳୋତ୍ପାଟନ କରାଯିବ ବୋଲି ପ୍ରସ୍ତାବ ରହିଛି। ଏହାବ୍ୟତୀତ ଭ୍ରଷ୍ଟାଚାରୀମାନଙ୍କ ବିରୋଧରେ କେନ୍ଦ୍ର ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଫଳରେ ସେମାନଙ୍କୁ ଦେଶ ଛାଡ଼ିବାକୁ ପଡୁଛି ବୋଲି ଏଥିରେ କୁହାଯାଇଛି। ଦଳୀୟ ନେତାମାନଙ୍କ ଦ୍ୱାରା ସର୍ବସମ୍ମତିକ୍ରମେ ଏହି ପ୍ରସ୍ତାବ ପାରିତ ହେଇଥିବା ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ସୂଚନା ଦେଇଛନ୍ତି। ଜାଭଡ଼େକର କହିଛନ୍ତି ଯେ ଗେରୁଆ ଦଳକୁ ହରାଇବା ପାଇଁ ବିରୋଧୀମାନେ ଯେଉଁ ସ୍ୱପ୍ନ ଦେଖୁଛନ୍ତି, ତାହାକୁ କେବଳ ଦିବାସ୍ୱପ୍ନ ବୋଲି କୁହାଯାଇ ପାରିବ। ସେ କହିଛନ୍ତି, ଏ ସରକାରଙ୍କର ଦୂରଦୃଷ୍ଟି ଅଛି, ଉତ୍ସାହ ଓ ଉଚ୍ଚ ଆକାଙ୍‌କ୍ଷା ରହିଛି ଏବଂ ସରକାରଙ୍କ କାର୍ଯ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ତେଣୁ ୨୦୧୯ରେ ବିଜେପିର ବିଜୟ ନିଶ୍ଚିତ। ବିରୋଧୀଙ୍କର କୌଣସି ନୀତି କିମ୍ବା ରଣକୌଶଳ ନାହିଁ। ସେମାନେ କେବଳ ମୋଦୀଙ୍କୁ ହଟାଇବାରେ ବିଶ୍ୱାସ ରଖୁଛନ୍ତି ବୋଲି ସେ କହିଛନ୍ତି।

ଓଡ଼ିଶାରେ ବିଜେପିର ଲକ୍ଷ୍ୟ
ବିଧାନସଭାରେ ୧୨୦, ଲୋକସଭାରେ ୧୬ରୁ ଅଧିକ ଆସନ
ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଓଡ଼ିଶାରେ ଦଳୀୟ ସ୍ଥିତି ସମୀକ୍ଷା କରାଯାଇଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଏଥିରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ରାଜ୍ୟ ବିଧାନସଭା ନିର୍ବାଚନରେ ୧୨୦ରୁ ଅଧିକ ଏବଂ ଲୋକସଭା ନିର୍ବାଚନରେ ୧୬ରୁ ଊର୍ଦ୍ଧ୍ୱ ଆସନ ଲକ୍ଷ୍ୟ ପୂରଣ ହେବ ବୋଲି ଶାହ ଆଶାପ୍ରକାଶ କରିଥିବା ବିଜେପିର ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ କହିଛନ୍ତି। ମୋଦୀ ସରକାରଙ୍କ ବିଭିନ୍ନ ଯୋଜନାର ଫାଇଦା ଲୋକଙ୍କ ନିକଟରେ କିଭଳି ପହଞ୍ଚିବ ଏବଂ ପ୍ରଚାର ଓ ପ୍ରସାର ହୋଇପାରିବ, ସେ ନେଇ ଦଳ ଦ୍ୱାରା ଓଡ଼ିଶାରେ ବ୍ୟାପକ ରଣନୀତି ଅନ୍ତର୍ଗତ କାର୍ଯ୍ୟକ୍ରମ ବୁଥ୍‌ ସ୍ତରରୁ ଚାଲିଛି ବୋଲି ରାଜ୍ୟର ନେତାମାନେ ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ। କେନ୍ଦ୍ର ନେତୃତ୍ୱ ଦେଇଥିବା ଟାର୍ଗେଟ୍‌ ଆଧାରରେ ରାଜ୍ୟରେ କାର୍ଯ୍ୟକ୍ରମ ଚାଲିଛି ବୋଲି ନେତାମାନେ କହିଥିଲେ। ବୈଠକରେ ଦୁଇଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍‌ ଓରାମ୍‌ଙ୍କ ସମେତ ବିଧାୟକ କେ ଭି ସିଂହଦେଓ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ସୁରେଶ ପୂଜାରୀ, ପ୍ରତାପ ଷଡ଼ଙ୍ଗୀ, ଗିରିଧର ଗମାଙ୍ଗ, ମାନସ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର