ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭୁବନେଶ୍ୱରର ଏକ ହୋଟେଲରେ ଓଡ଼ିଶାଲାଗି ବିଜେପିର ନିର୍ବାଚନ ଇସ୍ତାହାର ସଂକଳ୍ପ ପତ୍ର ପ୍ରକାଶ କରିଛନ୍ତି। ଓଡ଼ଶାର ଦାରିଦ୍ର୍ୟର ମୂଳୋତ୍ପାଟନ କରିବାକୁ ଏଥିରେ ଗୁରୁତ୍ୱ ଦିଆଯାଇଛି। ୧୫ ବର୍ଷରୁ କମ୍ ବୟସର ନାବାଳିକାଙ୍କୁ ଦୁଷ୍କର୍ମ କରୁଥିବା ଦୁଷ୍କର୍ମକାରୀଙ୍କୁ ଫାସି ଦଣ୍ଡ ଦେବାର ବ୍ୟବସ୍ଥା କରାଯିବ। ମହିଳାମାନଙ୍କପାଇଁ ସ୍ୱରୋଜଗାରର ବ୍ୟବସ୍ଥା କରାଯିବ।ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରାଯିବ । କଟକ-ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍ ଚଳାଚଳ କରାଯିବ ବୋଲି କୁହାଯାଇଛି।
୪୫ ଲକ୍ଷ ଚାଷୀଙ୍କୁ ପିଏମ୍ କିସାନ୍ ଯୋଜନାରେ ବାର୍ଷିକ ୬ ହଜାର ଟଙ୍କା ଦିଆଯିବ।ବିନା ସୁଧରେ ଚାଷୀଙ୍କୁ ଋଣ ଦିଆଯିବ । ଆଦିବାସୀମାନଙ୍କୁ ଜମିପଟ୍ଟା ଦିଆଯିବ। ଘର ପାଣି ସଡ଼କ, ବିଜୁଳି ବ୍ୟବସ୍ଥା କରାଯିବ। ସବୁ ଗରିବଙ୍କୁ ଜମିପଟ୍ଟା ଦିଆଯିବ। ୩ ମାସ ମଧ୍ୟରେ ପେଶା ଆଇନ୍ ଲାଗୁ କରାଯିବ । ବିଜେପି ସରକାରକୁ ଆସିଲେ ଓଡ଼ିଶାର ସବୁ ଜିଲ୍ଲାରେ ପିପିପି ମୋଡରେ ମେଡିକାଲ କଲେଜ୍ ପ୍ରତିଷ୍ଠା କରାଯିବ। ଏହାଛଡ଼ା ଆୟୁଷ୍ମାନ୍ ଯୋଜନାକୁ ଓଡ଼ିଶାରେ ଲାଗୁ କରାଯିବ।ପୁରୀକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରାଯିବ।
ପ୍ରଥମେ ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଅଭିଭାଷଣ ଦେଇଥିଲେ। ଅମିତ ଶାହଙ୍କ ବ୍ୟତୀତ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଏବଂ ବିଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।