ନୂଆଦିଲ୍ଲୀ: ୨୦୧୯ରେ ହୋଇଥିବା ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ୮ଟି ସଂସଦୀୟ କ୍ଷେତ୍ରରେ ବିଜୟ ଲାଭ କରିଥିବା ବେଳେ ୧୩ଟିରେ ପରାଜିତ ହୋଇଥିଲା | ଆଉ ୨୦୨୪ରେ ଏହି ୧୩ଟି ଆସନରେ କିଭଳି ବିଜେପି ବିଜୟ ହାସଲ କରିବ ସେ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେପି | ବିଶେଷ କରି ଦେଶରେ ୧୪୪ଟି ଆସନରେ ହାରିଥିବା ବିଜେପି କିଭଳି ୨୦୨୪ ନିର୍ବାଚନରେ ଜିତିବ ସେସଂକ୍ରାନ୍ତରେ ଯୋଜନା ପ୍ରସ୍ତୁତ କରିଛି | ଏଥିପାଇଁ ବିଜେପି ୧୪୪ଟି ଆସନକୁ ୪୦ଟି କ୍ଲଷ୍ଟରରେ ବିଭକ୍ତ କରିଛି। ପ୍ରତ୍ୟେକ କ୍ଲଷ୍ଟରର ଦାୟିତ୍ୱ ଜଣେ ବରିଷ୍ଠ କେନ୍ଦ୍ରମନ୍ତ୍ରୀଙ୍କୁ ଦିଆଯାଇଛି।

Advertisment

ଏଥିମଧ୍ୟରୁ ପଶ୍ଚିମବଙ୍ଗର ୧୯ଟି ଲୋକସଭା ଆସନ, ଉତ୍ତରପ୍ରଦେଶରେ ୧୫ଟି ଆସନ, ମହାରାଷ୍ଟ୍ରର ୮ଟି ସିଟ୍, ତେଲେଙ୍ଗାନାରେ ୧୨ଟି, ପଞ୍ଜାବରେ ୩ଟି ଓ ଓଡିଶାରେ ୧୩ଟି ସିଟ୍ ଉପରେ ବିଶେଷ ଧ୍ୟାନ ଦିଆଯିବ। ଆଉ ଯୋଜନା ମୁତାବକ ଏହି ସବୁ ଅଞ୍ଚଳରେ ପରିଚାଳନା ଦାୟିତ୍ବରେ କେନ୍ଦ୍ରମନ୍ତ୍ରୀମାନେ ରହିବେ | କେନ୍ଦ୍ର ମନ୍ତ୍ରୀମାନେ ଏହି ସବୁ ଅଞ୍ଚଳରେ ଡେରା ପକାଇବେ ଏବଂ ସରକାରଙ୍କ ସଫଳତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିବେ।

ପ୍ରତ୍ୟେକ ମନ୍ତ୍ରୀ ଗୋଟିଏ ଲୋକସଭା ଆସନରେ ଅତିକମରେ ୩ଦିନ ରହିବେ ବୋଲି ଦଳ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏହା ବ୍ୟତୀତ ଦୁର୍ବଳ ବୁଥଗୁଡ଼ିକର ଦାୟିତ୍ୱ ସାଂସଦ ଏବଂ ବିଧାୟକଙ୍କୁ ଦିଆଯିବ |୨୦୧୯ ଲୋକସଭା ନିର୍ବାଚନରେ ​​ଦ୍ୱିତୀୟ କିମ୍ବା ତୃତୀୟ ସ୍ଥାନରେ ଥିବା ଆସନରେ ବିଜୟ ହାସଲ ଲାଗି ବିଜେପି ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇବାକୁ ପ୍ରସ୍ତୁତ ହେଉଛି।