ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଦିଲ୍ଲୀର ୬ଟି ଆସନରେ ପୂର୍ବତନ ସାଂସଦଙ୍କ ଟିକେଟ୍ କାଟିଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେତେବେଳେ ଆଶା କରାଯାଉଥିଲା ଯେ ଏହି ପଦକ୍ଷେପ ବିଜେପିକୁ ପଛରେ ପକାଇପାରେ କିନ୍ତୁ ତାହା ହୋଇ ନଥିଲା। ଦିଲ୍ଲୀର ସମସ୍ତ ସାତୋଟି ଲୋକସଭା ଆସନରେ ବିଜେପି ଜିତିଥିଲା । ଲୋକସଭା ନିର୍ବାଚନରେ ଦିଲ୍ଲୀର ସମସ୍ତ ୭ଟି ଆସନରେ ବିଜେପିର ଦବଦବା ଦେଖାଯାଇଥିଲେ ମଧ୍ୟ ଦଳ ପାଇଁ ଏହି ପ୍ରଦର୍ଶନକୁ ପୁନରାବୃତ୍ତି କରିବା ଏବଂ ବିଧାନସଭା ନିର୍ବାଚନରେ ଜିତିବା କଷ୍ଟସାଧ୍ୟ ହୋଇପଡିଛି। ବିଜେପି ୨୦୨୫ ଆରମ୍ଭରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଜିତିବାକୁ ଚେଷ୍ଟା କରିବ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୦୨୪ ଲୋକସଭା ନିର୍ବାଚନରେ ଯେଉଁ ସାଂସଦମାନଙ୍କ ଟିକେଟ କଟାଯାଇଥିଲା ସେମାନଙ୍କୁ ୨୦୨୫ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିପାରେ। ସୂଚନାନୁସାରେ, ପୂର୍ବତନ ସାଂସଦ ରମେଶ ବିଧୁଡି, ପରଭେଶ ଭର୍ମା ଏବଂ ମୀନାକ୍ଷୀ ଲେଖୀଙ୍କୁ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଛି। ତେବେ ପୂର୍ବତନ ସାଂସଦ ଗୌତମ ଗମ୍ଭୀର, ହନସରାଜ ହନ୍ସ ଏବଂ ଡକ୍ଟର ହର୍ଷ ବର୍ଦ୍ଧନଙ୍କ ବିଷୟରେ ଏପର୍ଯ୍ୟନ୍ତ କିଛି କୁହାଯାଇପାରିବ ନାହିଁ। ଭାରତୀୟ ଜନତା ପାର୍ଟି ୨୦୨୪ ଲୋକସଭା ନିର୍ବାଚନରେ ଚାନ୍ଦନୀଚୌକରୁ ଡକ୍ଟର ହର୍ଷବର୍ଦ୍ଧନଙ୍କ ସ୍ଥାନରେ ପ୍ରବୀଣ ଖଣ୍ଡେଲୱାଲ, ନୂଆଦିଲ୍ଲୀରୁ ମୀନାକ୍ଷୀ ଲେଖୀଙ୍କ ସ୍ଥାନରେ ବାଂସୁରୀ ସ୍ୱରାଜ, ପଶ୍ଚିମ ଦିଲ୍ଲୀରୁ ପରଭେଶ୍ ଭର୍ମାଙ୍କ ସ୍ଥାନରେ କମଲଜିତ୍ ସେହରାତ୍ପୂର୍ବ ଦିଲ୍ଲୀରୁ ଗୌତମ ଗମ୍ଭୀରଙ୍କ ସ୍ଥାନରେ ହର୍ଷ ମାଲହୋତରା , ଉତ୍ତର-ପଶ୍ଚିମ ଦିଲ୍ଲୀରୁ ହନସରାଜ ହନ୍ସଙ୍କ ବଦଳରେ ଯୋଗେନ୍ଦ୍ର ଚାନ୍ଦୋଲିଆ ଏବଂ ଦକ୍ଷିଣ ଦିଲ୍ଲୀରୁ ରମେଶ ବିଧୁଡିଙ୍କ ବଦଳରେ ରାମଭୀର ସିଂ ବିଧୁଡିଙ୍କୁ ପ୍ରାର୍ଥୀ କରାଯାଇଥିଲା।