ଜଗଦୀପ ଧନଖଡ଼ଙ୍କୁ ପ୍ରାର୍ଥୀ କରିବା ପଛରେ ବିଜେପିର ଅଛି ଏହି ଯୋଜନା!

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ବିଜେପି ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି | ବିଜେପି ସଭାପତି ଜେପି ନଡ୍ଡା ଗତକାଲି ସାମ୍ବାଦିକ ସମ୍ମିଳନୀ କରି ଧନଖଡ଼ଙ୍କୁ ‘ଚା‌ଷୀ ପୁଅ’ ବୋଲି କହିବା ସହ ନିଜକୁ ‘ଲୋକଙ୍କ ରାଜ୍ୟପାଳ’ ଭାବେ ପରିଚିତ କରାଇଛନ୍ତି ବୋଲି କହିଥିଲେ | ତେବେ ଧନଖଡ଼ଙ୍କୁ ପ୍ରାର୍ଥୀ କରିବାକୁ ନେଇ ରାଜନୈତିକ ସମୀକ୍ଷକଙ୍କ କହିବା କଥା ଯେ ୨୦୨୩ରେ ରାଜସ୍ଥାନରେ ଏବଂ ୨୦୨୪ରେ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନଜରରେ ରଖି ବିଜେପି ଏହି ଘୋଷଣା କରିଛି | ସୂଚନା ମୁତାବକ ଆସନ୍ତା ୨୦୨୩ ରେ ରାଜସ୍ଥାନରେ ଏବଂ ୨୦୨୪ ମସିହାରେ ହରିୟାଣାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜସ୍ଥାନରେ ଏବେ କଂଗ୍ରେସ କ୍ଷମତାରେ ଥିବାବେଳେ ମଧ୍ୟରୁ ଅଶୋକ ଗେହଲୋଟ୍ ହେଉଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି ।

ରାଜସ୍ଥାନ ବିଧାନସଭା ଆସନ ବିଷୟରେ କହିବାକୁ ଗଲେ ଏଠାରେ ୨୦୦ଟି ଆସନ ଥିବାବେଳେ ବିଧାନସଭାର କାର୍ଯ୍ୟକାଳ ଡିସେମ୍ବର ୨୦୨୩ରେ ଶେଷ ହେବାକୁ ଯାଉଛି। ଅର୍ଥାତ୍ ଡିସେମ୍ବର ୨୦୨୩ ପୂର୍ବରୁ ଏଠାରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ | ବିଜେପି ଏଥର ରାଜସ୍ଥାନରେ ଜିତିବା ପାଇଁ କୌଣସି ପ୍ରକାରର ରିସ୍କ ନେବାକୁ ଚାହୁଁନାହିଁ ଏବଂ ଜିତିବା ପାଇଁ ବିଜେପି ଜୋରସୋରରେ ଏଠାରେ ଲଢେଇ କରିବ | ଏହି ନିର୍ବାଚନରେ ​​କଂଗ୍ରେସ ଏବଂ ବିଜେପି ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ରହିଛି। ଗତ ଦୁଇ ଦଶନ୍ଧି ଧରି ରାଜସ୍ଥାନରେ ବିଜେପି ପ୍ରାଧାନ୍ୟ ବିସ୍ତାର କରିଥିଲା ​​ଏବଂ ବସୁନ୍ଧରା ରାଜେଙ୍କ ଦବଦବା ଥିଲା ।

କିନ୍ତୁ ବର୍ତ୍ତମାନ ବିଶ୍ୱାସ କରାଯାଉଛି ଯେ ଦଳ ରାଜସ୍ଥାନରେ ଏକ ନୂତନ ନେତୃତ୍ୱ ଖୋଜୁଛି। ଆଉ ରାଜସ୍ଥାନ ନିବାସୀ ୭୧ ବର୍ଷୀୟ ଧନଖଡ଼ ତାଙ୍କର କ୍ୟାରିୟର ଓକିଲ ଭାବେ ଆରମ୍ଭ କରିଥିଲେ। ବିଜେପିରେ ଯୋଗ ଦେବା ପୂର୍ବରୁ ସେ ଜନତା ଦଳ ଏବଂ ପରେ କଂଗ୍ରେସ ସହ ସଂପୃକ୍ତ ଥିଲେ। ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ସେ ଜନତା ଦଳରୁ ଲୋକସଭା ସଭ୍ୟ ହୋଇଥିଲେ। ୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ସେ ରାଜସ୍ଥାନ ବିଧାନସଭାର ସଭ୍ୟ ଥିଲେ। ରାଜସ୍ଥାନର ଝୁଞ୍ଜୁନୁ ଜିଲ୍ଲାର କିଥାନା ଗାଁର ଏକ କୃଷକ ପରିବାରରେ ଜନ୍ମିତ ଜଗଦୀପ ଧନଖଡ଼ ହରିୟାଣାର କୃଷକ ନେତା ଭାବରେ ଜଣାଶୁଣା ଚୌଧୁରୀ ଦେବୀ ଲାଲଙ୍କ ଖୁବ ଖାସ ହୋଇଥିବାବେଳେ ଜାଟ ସମୁଦାୟଙ୍କୁ ଓବିସି ମାନ୍ୟତା ଦେବା ପାଇଁ ସେ ଜାଟ ଆନ୍ଦୋଳନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | ଆଉ ଯେତେବେଳେ ଆଉ ଜଣେ ଜାଟ ନେତା ତଥା ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି, ସେତେବେଳେ ଧନଖଡ଼ଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରି ବିଜେପି ଜାଟ ସମ୍ପ୍ରଦାୟ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିଛି।

ସମ୍ବନ୍ଧିତ ଖବର