ଜୟପୁର: ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଚୟନ ନେଇ ବିଜେପିରେ କସରତ ଜାରି ରହିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଦଳର ଅଡ଼ୁଆ ବଢ଼ାଉଛନ୍ତି। ମୁଖ୍ୟମନ୍ତ୍ରୀ ହେବାପାଇଁ ଦଳ ଉପରେ ଚାପ ସୃଷ୍ଟି କରିବା ପ୍ରୟାସ ସେ ଜାରି ରଖିଥିବାରୁ ଆସନ୍ତାକାଲି ହେବାକୁ ଥିବା ବିଧାୟକ ଦଳ ବୈଠକ ମଙ୍ଗଳବାରକୁ ଘୁଞ୍ଚାଇ ଦିଆଯାଇଛି । ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକ ରାଜନାଥ ସିଂହ, ସରୋଜ ପାଣ୍ଡେ ଏବଂ ବିନୋଦ ତାୱଡ଼େ ଆଜି ଜୟପୁର ପହଞ୍ଚିନାହାନ୍ତି। ଅନ୍ୟପକ୍ଷରେ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଆସନ୍ତାକାଲି ବିଧାୟକ ଦଳ ବୈଠକ ଯଥାରୀତି ଅନୁଷ୍ଠିତ ହେବ।
ମୁଖ୍ୟମନ୍ତ୍ରୀ ହେବାକୁ ବସନ୍ଧରା ଜିଦ୍ରେ ଅଟଳ ଥିବାରୁ ସହମତି ହୋଇପାରୁନଥିବା କୁହାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ବସୁନ୍ଧରା ଚ୍ୟାଲେଂଜ କରୁଛନ୍ତି ଏବଂ ନିଜ ବାସଭବନରେ ସମର୍ଥକ ବିଧାୟକମାନଙ୍କୁ ନେଇ ବୈଠକ କରିବା ଏହାର ପ୍ରମାଣ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି। ତେବେ ରାଜସ୍ଥାନ ବିଜେପି ବସୁନ୍ଧରାରଙ୍କ ଏଭଳି ନୀତିରେ କ୍ଷୁବ୍ଧ ଥିବା ବେଳେ କେନ୍ଦ୍ରୀୟ ନେତୃତ୍ବ ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିପାରନ୍ତି ବୋଲି ଜଣାପଡ଼ିଛି। ବସୁନ୍ଧରା ରାଜେଙ୍କ ଘରେ ଆଜି ମଧ୍ୟ ସମର୍ଥକମାନଙ୍କ ମେଳି ହୋଇଥିବା ଜଣାପଡ଼ିଛି। ବିଧାୟକ ଦଳ ବୈଠକ ପୂର୍ବରୁ ବସୁନ୍ଧରାଙ୍କ ଏଭଳି ଶକ୍ତି ପ୍ରଦର୍ଶନ ତାଙ୍କ ପାଇଁ ମହଙ୍ଗା ପଡ଼ିବ ବୋଲି ଅନେକ ନେତା ମତ ରଖିଛନ୍ତି। ବସୁନ୍ଧରା ମୁଖ୍ୟମନ୍ତ୍ରୀ ପଦ ବ୍ୟତୀତ ଆଉ କୌଣସି ପଦ ଗ୍ରହଣ କରିବେ ନାହିଁ ବୋଲି ମଧ୍ୟ ସଙ୍କେତ ଦେଇଛନ୍ତି। ଏଭଳି ସ୍ଥିତିରେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଚୟନ ବିଜେପି ପାଇଁ ଜଟିଳ ହେବାରେ ଲାଗିଛି । ବସୁନ୍ଧରାଙ୍କ କେତେକ ସମର୍ଥକ ବିଧାୟକ କହିଛନ୍ତି ଯେ ତାଙ୍କ ତୁଳନାରେ ରାଜ୍ୟରେ ଅନ୍ୟ କୌଣସି ବଡ଼ ନେତା ନଥିବାରୁ ମୁଖ୍ୟମନ୍ତ୍ରୀ ହେବାପାଇଁ ସେ ହିଁ ସର୍ବାଧିକ ଯୋଗ୍ୟ। ରାଜସ୍ଥାନରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ଅଶ୍ବିନୀ ବୈଷ୍ଣବ, କିରୋଡ଼ି ଲାଲ ମୀନା, ଅର୍ଜୁନ ମେଘୱାଲ ଏବଂ ବସୁନ୍ଧରା ରାଜେଙ୍କ ସମେତ ଆହୁରି ଅନେକ ନେତା ମୁଖ୍ୟମନ୍ତ୍ରୀ ଦୌଡ଼ରେ ସାମିଲ ଅଛନ୍ତି।