କୋଲକାତା : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଫଟୋ ଏଡିଟ୍ କରି ଗିରଫ ହୋଇଥିଲେ ବିଜେପି ନେତ୍ରୀ ପ୍ରିୟଙ୍କା ଶର୍ମା । ତେବେ ମଙ୍ଗଳବାର ଏହି ମାମଲା ଉପରେ ଶୁଣାଣି କରି ସୁପ୍ରିମ କୋର୍ଟ ଗିରଫ ହୋଇଥିବା ବିଜେପି ନେତ୍ରୀଙ୍କୁ ତୁରନ୍ତ ଛାଡ଼ିବା ପାଇଁ ଆଦେଶ ଦେଇଥିଲେ । ସୁପ୍ରିମ କୋର୍ଟଙ୍କ ଆଦେଶ ପରେ ପ୍ରିୟଙ୍କା ବୁଧବାର ଜାମିନରେ ବାହାରକୁ ଆସି ସାରିଥିବା ଜଣା ପଡ଼ିଛି । ତେବେ ବାହାରକୁ ଆସିବା ପରେ ସେ ନିଜ ସୋସିଆଲ ମିଡିଆ ପୋଷ୍ଟ ପାଇଁ କ୍ଷମା ମାଗିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ମୋତେ କ୍ଷମା ପତ୍ର ଲେଖିବା ପାଇଁ ବାଧ୍ୟ କରାଯାଇଥିଲା । କିନ୍ତୁ ମୁଁ ମୋର ସୋସିଆଲ ମିଡିଆ ପୋଷ୍ଟ ପାଇଁ କାହାକୁ ବି କ୍ଷମା ମାଗିବି ନାହିଁ । ମୁଁ କ୍ଷମା ମାଗିବା ଭଳି କୌଣସି କାମ କରି ନାହିଁ । ମୋତେ କୌଣସି ହାନିକାରକ ନଥିବା ପୋଷ୍ଟ ପାଇଁ ୫ଦିନ ଜେଲରେ ବନ୍ଦୀ କରାଯିବା ସହ ଅତ୍ୟାଚାର କରାଯାଇଥିଲା ବୋଲି କହିଛନ୍ତି ପ୍ରିୟଙ୍କା ।
/sambad/media/post_attachments/wp-content/uploads/2019/05/787216-priyanka-sharma-970-300x171.jpg)
ସୂଚନା ମୁତାବକ, କିଛି ଦିନ ତଳେ ମେଟ୍ ଗାଲା ୨୦୧୯ରେ ଥିବା ପ୍ରିୟଙ୍କାଙ୍କ ଲୁକ୍ ସାମ୍ନାକୁ ଆସିବା ପରେ ଲୋକେ ଟ୍ରୋଲ କରିବା ସହ ବୀରପ୍ପନଙ୍କ ନିଶ ସହ ପ୍ରିୟଙ୍କାଙ୍କ କେଶ ସଜ୍ଜାକୁ ତୁଳନା କରିଥିଲେ । ଏହା ସହ ହାଓ୍ଵଡ଼ା ଜିଲ୍ଲାର ବିଜେପି ଯୁବା ମୋର୍ଚ୍ଚାର ମୁଖ୍ୟ ପ୍ରିୟଙ୍କାଙ୍କ ମେଟ୍ ଗାଲା ଫଟୋକୁ ଏଡିଟ୍ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ମୁହଁ ଲଗାଇଥିବାରୁ ତାଙ୍କୁ ଗିରଫ କରାଯାଇଥିଲା । ମହିଳାଜଣଙ୍କ ଫଟୋ ଏଡିଟ୍ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହା ଧିରେ ଧିରେ ଭାଇରାଲ ହୋଇଥିଲା । ଫଟୋ ଭାଇରାଲ ହେବା ପରେ ଦାସନଗର ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏତଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା ।