ନୂଆଦିଲ୍ଲୀ: କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ବାସଭବନରେ ହୋଇଥିବା ଆୟକର (ଆଇଟି) ଚଢ଼ଉକୁ ନେଇ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ରାଜନୈତିକ ଲଢ଼େଇ ଆରମ୍ଭ ହୋଇଛି। ଆୟକର ବିଭାଗ ଦ୍ୱାରା ଜବତ ହୋଇଥିବା ନଗଦ ଅର୍ଥର ମୂଲ୍ୟ ୪୫୫ କୋଟି ଟଙ୍କାରୁ ଅଧିକ ହେଲାଣି। ଆହୁରି ଗଣତି ଚାଲିଛି। ଏହାପରେ ସାହୁଙ୍କ ଦଳ କଂଗ୍ରେସ ତାଙ୍କଠାରୁ ନିଜକୁ ଦୂରେଇ ରଖିଥିବା ଜଣାପଡିଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଗତକାଲି ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ଯେ ଧୀରଜ ସାହୁଙ୍କ ବ୍ୟବସାୟ ସହିତ କଂଗ୍ରେସର କୌଣସି ସମ୍ପର୍କ ନାହିଁ। ବିଜେପି ନେତାମାନେ ଏହାକୁ ସମାଲୋଚନା କରିବା ସହ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ଧୀରଜ ସାହୁଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ବିଜେପି ନେତା ଅମିତ ମାଲବ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଧୀରଜ ପ୍ରସାଦ ସାହୁ ଦୁଇଟି ଲୋକସଭା ନିର୍ବାଚନ ହାରିଥିଲେ ମଧ୍ୟ କଂଗ୍ରେସ ତାଙ୍କୁ ତିନିଥର ରାଜ୍ୟସଭାକୁ ପଠାଇଛି। ସାହୁ କହୁଛନ୍ତି, ସ୍ୱାଧୀନତା ପରଠାରୁ ତାଙ୍କ ପରିବାର କଂଗ୍ରେସ ସହ ଜଡ଼ିତ ଅଛନ୍ତି। ସାହୁଙ୍କଠାରୁ ଦୂରେଇ ରହିବାକୁ ଚେଷ୍ଟା କରିବା ପରିବର୍ତ୍ତେ କଂଗ୍ରେସ ସ୍ପଷ୍ଟ କରିବା ଦରକାର ଯେ ସେ କେଉଁ ଗାନ୍ଧିଙ୍କ ଏଟିଏମ୍ ଥିଲେ?
ଅମିତ ମାଲବ୍ୟ ମଧ୍ୟ ଏକ ଭିଡିଓ ସେୟାର କରି କହିଛନ୍ତି, ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରା ପ୍ରକୃତରେ ଭାରତର ଚୋରମାନଙ୍କୁ ଯୋଡ଼ିବା ପାଇଁ ଏକ ଯାତ୍ରା ଥିଲା। ଝାଡ଼ଖଣ୍ଡରେ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ଘରୁ ମିଳିଥିବା ପ୍ରାୟ ୪୫୫ କୋଟି ଟଙ୍କା ଏହାର ଜ୍ବଳନ୍ତ ପ୍ରମାଣ। ଏହି ଭିଡ଼ିଓରେ ଭାରତ ଯୋଡ଼ା ଯାତ୍ରା ସମୟରେ ରାହୁଲ ଗାନ୍ଧିଙ୍କ ସହ ଧୀରଜ ସାହୁଙ୍କୁ ଦେଖିବାକୁ ମିଳୁଛି।