ନୂଆଦିଲ୍ଲୀ: ‘ପ୍ରଶ୍ନ ପାଇଁ ଲାଞ୍ଚ’ ମାମଲାକୁ ନେଇ ଏବେ ରାଜନୀତି ସରଗରମ ରହିଛି। ସାଂସଦ ମହୁଆ ମୈତ୍ରଙ୍କୁ ନେଇ ଦଳ କୌଣସି ମନ୍ତବ୍ୟ ଦେବ ନାହିଁ ବୋଲି ତୃଣମୂଳ କଂଗ୍ରେସର ଜଣେ ମୁଖପାତ୍ର ଦେଇଥିବା ମନ୍ତବ୍ୟକୁ ନେଇ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେପି ପ୍ରଶ୍ନ କରିଛି ଯେ, ତୃଣମୂଳର ନୀରବତା ଅର୍ଥ ହେଉଛି ସେମାନେ ସାଂସଦଙ୍କ ବିରୋଧରେ ଆସିଥିବା ଗୁରୁତର ଅଭିଯୋଗକୁ ସ୍ୱୀକାର କରୁଛନ୍ତି କିମ୍ବା ଦଳ ପାଖରେ ‘ଲୁଚାଇବାକୁ କିଛି ଅଛି’।
ସଂସଦରେ ପ୍ରଶ୍ନ ପଚାରିବା ପାଇଁ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ମହୁଆ ନଗଦ ୨ କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ଶ୍ରୀମତୀ ମୈତ୍ର ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଇଥିବା ଅଭିଯୋଗର ତଦନ୍ତ ପାଇଁ ଦାବି କରିଛନ୍ତି। ତେବେ ତୃଣମୂଳ ସାଂସଦ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତୃଣମୂଳ ନେତୃତ୍ୱ ଏପର୍ଯ୍ୟନ୍ତ ନିଜ ସାଂସଦଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଚୁପ୍ ରହିଛନ୍ତି। ଏ ସମ୍ପର୍କରେ ତୃଣମୂଳ ମୁଖପାତ୍ର ତଥା ପଶ୍ଚିମବଙ୍ଗ ସାଧାରଣ ସମ୍ପାଦକ କୁନାଲ ଘୋଷଙ୍କୁ ପଚରାଯିବାରୁ ସେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ। ଏହାପରେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଟକ୍କର ଦେବାକୁ ଯୋଜନା କରୁଥିବା ବିରୋଧୀ ଗୋଷ୍ଠୀ ‘ଇଣ୍ଡିଆ’ର ପ୍ରମୁଖ ଭୂମିକାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଦଳକୁ ବିଜେପି ଅନେକ ପ୍ରଶ୍ନ କରିଛି। ମହୁଆ ମୈତ୍ରଙ୍କୁ ନେଇ ଟିଏମ୍ସିର ଆଭିମୁଖ୍ୟ ହେଉଛି ‘ଆମେ କୌଣସି ମନ୍ତବ୍ୟ ଦେବୁ ନାହିଁ।’। ଏହାର ଅର୍ଥ କ’ଣ?: ୧) ଟିଏମ୍ସି ସ୍ୱୀକାର କରେ ମହୁଆ ମୈତ୍ର ଲାଞ୍ଚ ବଦଳରେ ଏକ ପ୍ରତିଦ୍ୱନ୍ଦ୍ୱୀ କର୍ପୋରେଟ୍ ସଂସ୍ଥାକୁ ପାର୍ଲାମେଣ୍ଟ ୱେବ୍ସାଇଟ୍ର ଲଗ୍ ଇନ୍ ଅଧିକାର ଦେବା ସହ ଗୁରୁତର ନିୟମ ଉଲ୍ଲଂଘନ କରିଛନ୍ତି? ୨) ଯଦି ହଁ, ତେବେ ଟିଏମ୍ସି ତାଙ୍କୁ ବହିଷ୍କାର କରିବା ପରିବର୍ତ୍ତେ ଏଯାଏ କାହିଁକି ପଦବିରେ ରଖିଛି? ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଶେହଜାଦ ପୁନାୱାଲା ଏକ୍ସରେ ଏହି ପ୍ରଶ୍ନ କରିଛନ୍ତି। ବିଜେପି ମୁଖପାତ୍ର ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ତୃଣମୂଳ ମୈତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭୟ କରୁଛି କି, ‘କାରଣ ଦଳ ପାଖରେ ଆଉ ଲୁଚାଇବାକୁ କିଛି ଅଛି’- ଟିଏମ୍ସି ଏହା ସ୍ପଷ୍ଟ କରିବା ଦରକାର ବୋଲି ସେ କହିଛନ୍ତି।