ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ପାଇଁ ବିଜେପିକୁ ଦାୟୀ କଲେ ଏନସିପି ମୁଖ୍ୟ ଶରଦ ପାୱାର। ସୋମବାର ଦିନ ଦେଶର ବିଭିନ୍ନ ସ୍ଥାନରେ ରାମ ନବମୀ ସମୟରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ପାଇଁ ସେ ବିଜେପି ଏବଂ ଏହାର କିଛି ସଂଗଠନକୁ ଦାୟୀ କରିଛନ୍ତି। ପାୱାର କହିଛନ୍ତି ଯେ ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତି କେନ୍ଦ୍ର ସରକାରଙ୍କ ଅଧୀନରେ ଅଛି। ସେଥିପାଇଁ ଦିଲ୍ଲୀରେ ହୋଇଥିବା ହିଂସା ପାଇଁ କେନ୍ଦ୍ର ସରକାର ହିଁ ଦାୟୀ।
ତାଙ୍କ କହିବା ମୁତାବକ, ରାମ ନବମୀ ସମୟରେ ସାମ୍ପ୍ରଦାୟିକ ହିଂସା ହେବା ବିଷୟରେ ଆମେ କେବେ ଶୁଣିନାହୁଁ। ହେଲେ ବିଜେପି କ୍ଷମତାରେ ଥିବା ବେଳେ ଏଭଳି ଘଟଣା ଘଟୁଛି। ଏହା ପଛର କାରଣ ହେଉଛି ବିଜେପି ଏବଂ ସେମାନଙ୍କର କିଛି ସଂଗଠନ। ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତି କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛି। ଦିଲ୍ଲୀର ଜାହାଙ୍ଗୀରପୁରୀରେ ଯାହା ଘଟିଛି ସେଥିପାଇଁ କେବଳ ବିଜେପି ହିଁ ଦାୟୀ।
ସୂଚନା ମୁତାବକ, ଶନିବାର ସନ୍ଧ୍ୟାରେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଅବସରରେ ଆୟୋଜିତ ଶୋଭାଯାତ୍ରା ବେଳେ ସେଠାରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିଲା। ଏହି ଘଟଣାରେ ଏ ପର୍ଯ୍ୟନ୍ତ ଉଭୟ ସମ୍ପ୍ରଦାୟରୁ ୨୩ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନଙ୍କଠାରୁ ୩ଟି ଦେଶୀ ବନ୍ଧୁକ ଏବଂ ୫ଟି ଖଣ୍ଡା ଜବତ କରାଯାଇଛି। ଏହାଛଡ଼ା, ଗିରଫ ଅଭିଯୁକ୍ତମାନଙ୍କୁ ଅଦାଲତରେ ହାଜର କରାଯାଇଛି।
ଅନ୍ୟପକ୍ଷରେ ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ବିଷୟରେ ପଚାରିବୁଝିବା ସହ ଯିଏ ଏଭଳି ହିଂସା ସୃଷ୍ଟି କରିଛି, ତା’ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଦାହରଣ ସୃଷ୍ଟି କର ବୋଲି କହିଛନ୍ତି ଶାହ। ଏହା ସହ ହିଂସା ସମୟରେ ଗୁଳି ଚଳାଇଥିବା ଅଭିଯୁକ୍ତ ସୋନୁ ଶେଖକୁ ଗିରଫ କରିଛି ପୁଲିସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/t-42.jpg)