ବିଜେପି ଛାଡ଼ିଲା ‘କଂଗ୍ରେସ ଫାଇଲ୍‌ସ’ର ତୃତୀୟ ଏପିସୋଡ୍‌: କୋଇଲା ଦୁର୍ନୀତି,ଏମ୍‌ଏଫ୍‌ ହୁସେନଙ୍କ ପେଣ୍ଟିଂକୁ ନେଇ ଘେରିଲା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ମଙ୍ଗଳବାର ‘କଂଗ୍ରେସ ଫାଇଲ୍‌ସ’ର ତୃତୀୟ ଭାଗ ପ୍ରକାଶ କରିଛି। ଏଥିରେ ୨୦୧୨ର କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନୀତି ଏବଂ ପଦ୍ମ ଭୂଷଣ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇ ଏମ୍‌ଏଫ୍‌ ହୁସେନଙ୍କ ଦ୍ବାରା ଅଙ୍କିତ ରାଜୀବ ଗାନ୍ଧିଙ୍କ ଏକ ଚିତ୍ରକୁ ୨ କୋଟି ଟଙ୍କାରେ ବିକ୍ରି ପ୍ରସଙ୍ଗ ଅବତାରଣା କରାଯାଇଛି। ସୋମବାର ପ୍ରକାଶିତ ଦ୍ବିତୀୟ ଭାଗରେ ବିଜେପି ଏଫ୍‌ଏଟିଏଫ୍‌ ରିପୋର୍ଟକୁ ଭିତ୍ତି କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଗରେ ୟେସ୍ ବ୍ୟାଙ୍କ ସିଇଓ ରାଣା କୁପର ଦେଇଥିବା ବୟାନ ଉପରେ ଆଲୋକପାତ କରିଥିଲା।

ତୃତୀୟ ଭାଗରେ ପ୍ରକାଶିତ ଭିଡ଼ିଓରେ ଦର୍ଶାଯାଇଛି ଯେ ୨୦୧୨ କୋଇଲା ଦୁର୍ନୀତି ପାଇଁ ଉପା ସରକାର ଦାୟୀ। ଯେତେବେଳେ ମନମୋହନ ସିଂହ ଦ୍ବିତୀୟ ବାର ପ୍ରଧାନମନ୍ତ୍ରୀ ହେଲେ, ସେତେବେଳେ ସେ ଅନେକ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କଂଗ୍ରେସର ଦୁର୍ନୀତି ସେତେବେଳେ ଗଣମାଧ୍ୟମର ଶିରୋନାମା ମଣ୍ଡନ କରୁଥିଲା। ଏହି ଦୁର୍ନୀତି ଯୋଗୁ ଭାରତ ସରକାର ୧,୮୬,୦୦୦ କୋଟି ଟଙ୍କାର କ୍ଷତି ସହିଥିଲେ। ଭିଡ଼ିଓରେ ଶୁଣିବାକୁ ମିଳୁଛି, ଏହି ଦୁର୍ନୀତିର ଗୁରୁତ୍ବପୂର୍ଣ୍ଣ ଅଂଶ ୨୦୦୪ରୁ ୨୦୦୯ ଭିତରେ ଘଟିଥିଲା। ସେତେବେଳେ କୋଇଲା ବିଭାଗ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଶିବୁ ସୋରେନଙ୍କ ଅଧୀନରେ ଥିଲା। ପ୍ରଧାନମନ୍ତ୍ରୀ ସିଂହ ସେତେବେଳେ ରିମୋଟ କଣ୍ଟ୍ରୋଲରେ ପରିଚାଳିତ ହେଉଥିଲେ। ଏଫ୍‌ଏଟିଏଫ୍ ରିପୋର୍ଟକୁ ଆଧାର କରି ଏପିସୋଡ୍ ୨ରେ ସୂଚନା ଦିଆଯାଇଥିଲା ଯେ, ୟେସ୍ ବ୍ୟାଙ୍କ ସିଇଓ ରାଣା କପୁର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରେ କହିଥିଲେ ଯେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପାଇଁ ଏମ୍‌ଏଫ୍‌ ହୁସେନ ଆଙ୍କିଥିବା ରାଜୀବ ଗାନ୍ଧିଙ୍କ ଚିତ୍ରକୁ ୨ କୋଟି ଟଙ୍କାରେ କିଣିବାକୁ ତାଙ୍କ ଉପରେ ଚାପ ପକାଯାଇଥିଲା।

ଏଥିପାଇଁ ତାଙ୍କୁ ପଦ୍ମଭୂଷଣ ପୁରସ୍କାର ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଭିଡିଓରେ ରାଣା କପୁର କହିବାର ଶୁଣାଯାଉଛି ଯେ ତାଙ୍କୁ ଚିତ୍ରଟି କିଣିବା ପାଇଁ ପ୍ରିୟଙ୍କା ଗାନ୍ଧିଙ୍କୁ ଚିଠି ଲେଖିବାକୁ ବାଧ୍ୟ କରାଯାଇଥିଲା। ତାଙ୍କୁ କୁହାଯାଇଥିଲା ଯେ ଏହି ଟଙ୍କା ବିଦେଶରେ ସୋନିଆ ଗାନ୍ଧିଙ୍କର ଚିକିତ୍ସା କରାଯିବ। ମନିଲଣ୍ଡରିଂ ଓ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ ରିପୋର୍ଟ ପ୍ରସ୍ତୁତ କରୁଥିବା ଏଫ୍‌ଏଟିଏଫ୍‌ ସଂସ୍ଥା ଗାନ୍ଧି ପରିବାରର ଦୁର୍ନୀତି ଉପରେ ଆଲୋକପାତ କରିଥିବା ବିଜେପିର ଏହି ଭିଡିଓରେ କୁହାଯାଇଛି। ତେବେ କଂଗ୍ରେସ ଏହି ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ ଏହା ହେଉଛି ତାଙ୍କ ବିରୋଧରେ ‘ରାଜନୈତିକ ପ୍ରତିଶୋଧ’ ଏବଂ ରାଣା କପୁର ଓ ଇଡିର ବିଶ୍ବାସଯୋଗ୍ୟତା ଉପରେ ଏହା ପ୍ରଶ୍ନ ଉଠାଇଛି। ରବିବାର ପ୍ରକାଶିତ ପ୍ରଥମ ଏପିସୋଡ୍‌ରେ ବିଜେପି କଂଗ୍ରେସ ସରକାରର ଦୁର୍ନୀତି ତାଲିକା ପ୍ରଦାନ କରିବା ସହ ଏହା ୭୦ ବର୍ଷର ଶାସନକାଳରେ ଦେଶରୁ ୪୮,୨୦,୬୯,୦୦,୦୦,୦୦୦ ଟଙ୍କା ଲୁଟିଥିବା ପ୍ରକାଶ କରିଥିଲା। ଏହି ଟଙ୍କାରେ ଦେଶର ଅନେକ ଉନ୍ନତିମୂଳକ କାର୍ଯ୍ୟ କରାଯାଇ ପାରିଥାନ୍ତା। ଏହି ଟଙ୍କାରେ ଅନ୍ୟୂନ ୨୪ଟି ଆଇଏନ୍‌ଏସ୍ ବିକ୍ରାନ୍ତ, ୩୦୦ ରାଫେଲ ଜେଟ୍ ଓ ୧୦୦୦ ମଙ୍ଗଳ ମିସନ କରାଯାଇ ପାରିଥାନ୍ତା ବୋଲି ବିଜେପି ପ୍ରକାଶ କରିଛି।

ସମ୍ବନ୍ଧିତ ଖବର