ଗୁଜୁରାଟ ନିର୍ବାଚନ: ବିଜେପିର ପ୍ରଥମ ଦଫା ପ୍ରାର୍ଥୀ ତାଲିକାରେ ୭୦ ପ୍ରାର୍ଥୀଙ୍କ ନାମ ଘୋଷିତ

ଗାନ୍ଧୀନଗର: ୨୦୧୭- ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ପ୍ରଥମ ଦଫାରେ ୭୦ ଜଣ ଦଳୀୟ ପ୍ରାର୍ଥୀଙ୍କର ନାମ ତାଲିକା ଘୋଷଣା କରିଛି। ଯେଉଁମାନେ ଆଗାମୀ ନିର୍ବାଚନରେ ବିଜେପିର ଦଳୀୟ ପ୍ରାର୍ଥୀଭାବେ ମଇଦାନକୁ ଓହ୍ଲାଇବେ।

ଆଜି ଅପରାହ୍ଣରେ ପ୍ରକାଶ ପାଇଥିବା ଦଳର ପ୍ରଥମ ଦଫା ପ୍ରାର୍ଥୀ ତାଲିକାରେ ଯେଉଁ ବରିଷ୍ଠ ନେତାମାନଙ୍କର ନାମ ସ୍ଥାନ ପାଇଛି, ସେମାନେ ହେଲେ; ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, ଉପ-ମୁଖ୍ୟମନ୍ତ୍ରୀ ନୀତୀନ ଭାଇ ପଟେଲ ଏବଂ ଦଳର ରାଜ୍ୟ ସଭାପତି ଜିତୁଭାଇ ଭାଗ୍‌ହାନୀ। ବିଜେପି ପ୍ରାର୍ଥୀ ରୂପେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ରାଜ୍‌କୋଟ୍‌ ପଶ୍ଚିମ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ନୀତୀନ ଭାଇ ପଟେଲ ମେହେସାନା ଆସନରୁ ଓ ଦଳର ରାଜ୍ୟ ସଭାପତି ଜିତୁଭାଇ ଭାଗ୍‌ହାନୀ ଭାବନଗର ପଶ୍ଚିମ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ପ୍ରକାଶିତ ପ୍ରଥମ ଦଳୀୟ ତାଲିକାରୁ ଜାଣିବାକୁ ମିଳିଛି।

Zee News

ତେବେ, ପଟ୍ଟିଦାର ଅମାନତ ଆନ୍ଦେଳନ ସମିତି ପରିତ୍ୟାଗ କରି ବିଜେପିରେ ଯୋଗ ଦେଇଥିବା ଏହାର ଦୁଇ ନେତା ବରୁଣ ପଟେଲ ଓ ରେଶମା ପଟେଲ ପ୍ରଥମ ଦଫା ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇ ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

ଅନ୍ୟପକ୍ଷରେ, ବର୍ତ୍ତମାନ ବିଧାୟକ ଥିବା ଅନେକ ଦଳୀୟ ବିଧାୟକଙ୍କୁ ୨୦୧୭ ନିର୍ବାଚନ ପାଇଁ ଟିକେଟ ପ୍ରଦାନ କରାଯାଇ ନଥିବା ବେଳେ ଆଉ କେତେକ ଦଳୀୟ ବିଧାୟକଙ୍କ ନିର୍ବାଚନ ମଣ୍ଡଳୀରେ ପରିବର୍ତ୍ତନ କରାଯାଇଛି।

ଆଜି ପୂର୍ବାହ୍ନରେ ନୂଆଦିଲ୍ଲୀଠାରେ ବସିଥିିବା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାପରେ ପ୍ରଥମ ଦଫା ଦଳୀୟ ପ୍ରାର୍ଥୀ ତାଲିକାକୁ ଘୋଷଣା କରା ଯାଇଥିଲା। ଆଜି ଅନୁଷ୍ଠିତ ହୋଇଥିବା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସମେତ ଦଳର ଅନ୍ୟ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ୨୦୧୭- ଗୁଜୁରାଟ ବିଧାନସଭା ନିର୍ବାଚନ ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଆଗାମୀ ଡିସେମ୍ବର ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଦଫା ନିର୍ବାଚନରେ ୮୯ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ ଏବଂ ୧୪ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ୯୩ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ୧୮ ତାରିଖ ଦିନ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର