ନୂଆଦିଲ୍ଲୀ: ଦଳବଦଳ କରିଥିବା ନେତାଙ୍କୁ ନିର୍ବାଚନରେ ଟିକେଟ ଦିଆଯିବା ଭାରତୀୟ ରାଜନୀତିରେ କିଛି ନୂଆ କଥା ନୁହେଁ। ତେବେ, ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ତାଲିକାରେ ଯେଉଁ ଦଳବଦଳ କରିଥିବା ନେତାଙ୍କୁ ସାମିଲ କରାଯାଇଛି ତାହା ଅସ୍ବାଭାବିକ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଛି।
ବିଜେପି ପ୍ରାର୍ଥୀ ତାଲିକାରେ, ୪୩୫ ମଧ୍ୟରୁ ପ୍ରାୟ ଏକ ଚତୁର୍ଥାଂଶ ଅର୍ଥାତ ୧୦୬ ଜଣ ଏପରି ପ୍ରାର୍ଥୀ, ଯେଉଁମାନେ ଗତ ୧୦ ବର୍ଷ ମଧ୍ୟରେ ଦଳ ପରିବର୍ତ୍ତନ କରିଛନ୍ତି। ସେଥିମଧ୍ୟରୁ ଗତ ପାଞ୍ଚ ବର୍ଷ ମଧ୍ୟରେ ୯୦ ଜଣ ନେତା ବିଜେପିରେ ଯୋଗ ଦେଇଥିଲେ।
ଏଭଳି ପ୍ରାର୍ଥୀଙ୍କ ସର୍ବାଧିକ ଅନୁପାତ ଆନ୍ଧ୍ରପ୍ରଦେଶରେ ଅଛି, ଯେଉଁଠାରେ ବିଜେପି ୬ଜଣ ପ୍ରାର୍ଥୀ ଦେଇଛି। ୨୦୧୯ରୁ ବର୍ତ୍ତମାନ ପର୍ଯ୍ୟନ୍ତ, ସେମାନଙ୍କ ମଧ୍ୟରୁ ଜଣଙ୍କୁ ଛାଡ଼ିଦେଲେ ଅବଶିଷ୍ଟ ଅନ୍ୟ ଦଳରୁ ଆସିଛନ୍ତି । ଏଥିରେ କଂଗ୍ରେସ ଏବଂ ୱାଇଏସଆରସିପିର ନେତା ସହିତ ବର୍ତ୍ତମାନର ସହଯୋଗୀ ଟିଡିପିର ନେତାମାନଙ୍କୁ ମଧ୍ୟ ଟିକେଟ ଦିଆଯାଇଛି। ପଡୋଶୀ ତେଲେଙ୍ଗାନାରେ ବିଜେପିର ୧୭ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରାୟ ଦୁଇ ତୃତୀୟାଂଶ ଅନ୍ୟ ଦଳରୁ ଆସିଛନ୍ତି। ଅଧିକ ପ୍ରାର୍ଥୀ ବିଆରଏସ ଏବଂ କଂଗ୍ରେସରୁ ଅସିଛନ୍ତି। ୧୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୬ ଜଣ ଏହି ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ।
ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଏପରି ରାଜ୍ୟ ଯେଉଁଠାରେ ବିଜେପିର ଉପସ୍ଥିତି ସୀମିତ ରହିଛି। ଏକ ଦଶନ୍ଧି ଧରି ହରିୟାଣାରେ ବିଜେପି କ୍ଷମତାରେ ଅଛି, ୨୦୧୪ମସିହାରୁ ଏହାର ୧୦ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୬ଜଣ ପକ୍ଷ ପରିବର୍ତ୍ତନ କରିଛନ୍ତି। ସେମାନଙ୍କ ମଧ୍ୟରୁ ନବୀନ ଜିନ୍ଦଲ ଏବଂ ଅଶୋକ ତନୱାର ଲୋକସଭା ନିର୍ବାଚନ ପୂର୍ବରୁ ଦଳରେ ଯୋଗ ଦେଇଥିଲେ। ସେହିଭଳି ପଞ୍ଜାବରେ ଦଳର ୧୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଅର୍ଦ୍ଧେକ ହେଉଛନ୍ତି ଯେଉଁମାନେ କିଛି ଦିନ ପୂର୍ବରୁ ଅନ୍ୟ ଦଳରେ ଥିଲେ। ସେମାନଙ୍କ ମଧ୍ୟରୁ କେତେକ କଂଗ୍ରେସରେ ଥିଲେ। କିନ୍ତୁ ଅମରିନ୍ଦର ସିଂ କଂଗ୍ରେସ ଛାଡି ବିଜେପିରେ ଯୋଗଦେବାବେଳେ ସେ ତାଙ୍କ ନୂଆ ଦଳକୁ ବିଜେପିରେ ବିଲୟ କରିଥିଲେ।
ଝାଡଖଣ୍ଡର ପରିସ୍ଥିତି ପଞ୍ଜାବର ଅବସ୍ଥା ସହିତ ସମାନ, ଯେଉଁଠାରେ ୧୩ ଜଣ ବିଧାୟକଙ୍କ ମଧ୍ୟରୁ ୭ଜଣ ଏକ ଦଶନ୍ଧି କିମ୍ବା ତା’ପୂର୍ବରୁ ଅନ୍ୟ ଦଳର ସଦସ୍ୟ ଥିଲେ। ଏହି ପରିପ୍ରେକ୍ଷୀରେ ବାହାରୁ ଆସିଥିବା ସଦସ୍ୟମାନେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍), କଂଗ୍ରେସ ଏବଂ ତତ୍କାଳୀନ ଝାଡଖଣ୍ଡ ବିକାଶ ମୋର୍ଚ୍ଚା (ଜେଭିଏମ୍)ରେ ଥିଲେ। ସେମାନଙ୍କ ମଧ୍ୟରୁ ହାଇ ପ୍ରୋଫାଇଲ୍ ହେଉଛନ୍ତି ସୀତା ସୋରେନ୍। ସୀତା ହେଉଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ।
ବିଜେପିରେ ବାହାର ଲୋକଙ୍କୁ ଟିକେଟ୍ ଦେବା ଦୃଷ୍ଟିରୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ରାଜ୍ୟ ହେଉଛି ଉତ୍ତରପ୍ରଦେଶ। ବିଧାନସଭା ନିର୍ବାଚନ ହେଉ କିମ୍ବା ରାଜ୍ୟସଭା ନିର୍ବାଚନ ହେଉ ବିଗତ ଦଶନ୍ଧି ମଧ୍ୟରେ ଏଠାରେ ବିଜେପି ପ୍ରାଧାନ୍ୟ ବିସ୍ତାର କରିଛି। ବିଜେପିର ୭୪ ପ୍ରାର୍ଥୀଙ୍କ ମଧ୍ୟରୁ ୨୩ ଜଣ ହେଉଛନ୍ତି ଯେଉଁମାନେ ୨୦୧୪ମସିହାଠାରୁ ବିଭିନ୍ନ ସମୟରେ ବିଜେପିରେ ଯୋଗ ଦେଇଛନ୍ତି। ଏହା ହେଉଛି ରାଜ୍ୟରେ ବିଜେପି ପ୍ରାର୍ଥୀଙ୍କ ୩୧ ପ୍ରତିଶତ।
ସେହିଭଳି ଓଡିଶାରେ ବିଜେପିର ୨୯ ପ୍ରତିଶତ ପ୍ରାର୍ଥୀ ଏବଂ ତାମିଲନାଡୁରେ ୨୬ ପ୍ରତିଶତ ପ୍ରାର୍ଥୀ ଅନ୍ୟ ଦଳରୁ ଆସିଛନ୍ତି। ଏହି ରାଜ୍ୟଗୁଡିକର ଅନ୍ୟ ଦଳର ନେତାମାନଙ୍କୁ ଟିକେଟ୍ ଦେବା ମଧ୍ୟ ବିଜେପିର ବାଧ୍ୟତାମୂଳକ କାରଣ ଏସବୁ ରାଜ୍ୟ ବିଜେପିର ଗଡ଼ ନୁହଁନ୍ତି। ମହାରାଷ୍ଟ୍ରରେ ମଧ୍ୟ ବିଜେପି ପ୍ରାର୍ଥୀଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ ଦଳ ପରିବର୍ତ୍ତନ କରି ଦଳରେ ଯୋଗ ଦେଇଛନ୍ତି। ବିଶେଷକରି ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟ ରାଜନୀତିରେ ଘଟିଥିବା ପ୍ରମୁଖ ପରିବର୍ତ୍ତନଗୁଡ଼ିକର ଏହା ନିଶ୍ଚିତ ଭାବରେ ଏକ ଲକ୍ଷଣ। ପଶ୍ଚିମବଙ୍ଗର ବିଜେପି ପ୍ରାର୍ଥୀଙ୍କ ପରିସ୍ଥିତି ମହାରାଷ୍ଟ୍ର ଭଳି ଦେଖାଯାଉଛି। ତେବେ ଏହି ଅନୁପାତ ଅନ୍ୟ ସମସ୍ତ ରାଜ୍ୟରେ କମ୍ ଅଟେ। ଗୁଜୁରାଟକୁ ବିଜେପିର ଗଡ଼ ବୋଲି ବିବେଚନା କରାଯାଉଥିଲେ ମଧ୍ୟ ୨୦୧୪ ରୁ ଦୁଇ ପ୍ରାର୍ଥୀ ଦଳରେ ଯୋଗ ଦେଇଛନ୍ତି।