ଭୁବନେଶ୍ବର : ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ଶେଷକୃତ୍ୟକୁ ନେଇ ରାଜନୀତି ବଢିବାରେ ଲାଗିଛି । ଦିଲ୍ଲୀର ନିଗମଘାଟରେ ଡ. ସିଂଙ୍କ ଶେଷକୃତ୍ୟ କରିବାକୁ ନେଇ କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗନ୍ଧି କହିଛନ୍ତି ଯେ ଏପରି କରି ମୋଦୀ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଅପମାନ କରିଛନ୍ତି । ଏବେ ରାହୁଲଙ୍କ ଆରୋପର ଜବାବ ଦେଇଛି ବିଜେପି ।
ବିଜେପି ମୁଖପାତ୍ର ତଥା ପୁରୀ ସାଂସଦ ଡ. ସଂବିତ ପାତ୍ର ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ସିଂଙ୍କ ପରି ଜଣେ ସର୍ବମାନ୍ୟ ନେତାଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ରାଜନୀତି କରିବା ବେଶ ଦୁର୍ଭାଗ୍ୟଜନକ । ଡ. ସିଂଙ୍କ ପାଇଁ ଏକ ସ୍ମୃତିସ୍ଥଳ ପ୍ରତିଷ୍ଠା କରିବାକୁ ସରକାର ମଧ୍ୟ ସହମତ । କିନ୍ତୁ ଏଥିପାଇଁ ବିଭିନ୍ନ ପ୍ରକ୍ରିୟା ରହିଛି ଓ ତାହା କରିବାକୁ ସମୟ ଲାଗିବ । କିନ୍ତୁ ଶେଷକୃତ୍ୟ ତାହାକୁ ଅପେକ୍ଷା କରିବ ନାହିଁ । ଏଣୁ ଶେଷକୃତ୍ୟ ନିଗମବୋଧ ଘାଟରେ କରାଯାଇଥିଲା । ଏ ସଂପର୍କରେ କଂଗ୍ରେସକୁ ପତ୍ର ଲେଖି ସରକାର ଜଣାଇଥିଲେ । ଏହା ସତ୍ତ୍ବେ କଂଗ୍ରେସ ଏହାକୁ ନେଇ ରାଜନୀତି କରୁଛି ।
ସେ ମଧ୍ୟ କହିଥିଲେ ଯେ ଡ. ସିଂ ପ୍ରଧାନମନ୍ତ୍ରୀ ଥିବାବେଳେ ରାହୁଲ ଗାନ୍ଧି ତାଙ୍କର ବାରମ୍ବାର ଅପମାନ କରୁଥିଲେ । କ୍ୟାବିନେଟର ନିଷ୍ପତ୍ତି ଚିରିଦେଇଥିଲେ । ସରକାରରେ ସୋନିଆଙ୍କ ନେତୃ୍ତ୍ବରେ ଥିବା ଜାତୀୟ ପରାମର୍ଶଦାତା ପରିଷଦର ହସ୍ତକ୍ଷେପ ମନମୋହନଙ୍କୁ ଦୁଃଖ ଦେଉଥିଲା । ଏଣୁ ସେ ଇସ୍ତଫା ଦେବାକୁ ବି ବିଚାର କରୁଥିଲେ ବୋଲି କେତେକ ପୁସ୍ତକରେ ଉଲ୍ଲେଖ ରହିଛି । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ, ଯାହାଙ୍କ ନେତୃତ୍ବରେ ଅର୍ଥନୈତିକ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ତାଙ୍କର ମୃତ୍ୟୁପରେ ବି ତାଙ୍କୁ କଂଗ୍ରେସ ଦଳ ଅପମାନିତ କରିଥିଲା । ତାଙ୍କ ମୃତଦେହକୁ କଂଗ୍ରେସକୁ ଦପ୍ତରକୁ ଅଣାଯିବାକୁ ଅନୁମତି ଦିଆଯାଇନଥିଲା । ଏପରିକି ଦିଲ୍ଲୀରେ ତାଙ୍କର ଅନ୍ତିମ ସଂସ୍କାରକୁ ଅନୁମତି ଦିଆଯାଇନଥିଲା । ବାଧ୍ୟ ହୋଇ ଶ୍ରୀ ରାଓଙ୍କ ପରିବାରଲୋକେ ହାଇଦ୍ରାବାଦରେ ଶେଷକୃତ୍ୟ କରିଥିଲେ ।