ହାଇଦ୍ରାବାଦ: ଆଜି ‘ବିଜେପି’ ଶୃଙ୍ଖଳା କମିଟି ତେଲେଙ୍ଗାନା ବିଧାୟକ ଟି. ରାଜା ସିଂହଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନେଇଥିବା ‘ଜି ନିଉଜ୍’ ରିପୋର୍ଟ କରିଛି।
ମହାପୁରୁଷ ମହମ୍ମଦ୍ଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଅଭିଯୋଗରେ ଗିରଫ ହେବା ପରେ ୨୦୨୨ ଅଗଷ୍ଟ ମାସରେ ଦଳ ତାଙ୍କୁ ନିଲମ୍ବିତ କରିଥିଲା।
ଜାରି କରିଥିବା ବିଜ୍ଞପ୍ତିରେ ‘ବିଜେପି’ କେନ୍ଦ୍ରୀୟ ଶୃଙ୍ଖଳା କମିଟିର ସଦସ୍ୟ ସଚିବ ଓମ୍ ପ୍ରକାଶ କହିଛନ୍ତି, ନିଲମ୍ବନ କରିବା ସହିତ ଦଳର କେନ୍ଦ୍ରୀୟ ଶୃଙ୍ଖଳା କମିଟି ଆପଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା। ଏ ନୋଟିସ୍ ଆପଣ ଦର୍ଶାଇ ଥିବା କାରଣ ଉପରେ ପର୍ଯ୍ୟବେଶିତ। ଆପଣ ଦାଖଲ କରିଥିବା ଜବାବ ଓ କୈଫିୟତ୍ କମିଟିଦ୍ବାରା ବିଚାର କରାଯାଇଛି। ଆପଣଙ୍କ ଜବାବକୁ ଆଧାର କରି କମିଟି ଆପଣଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେବାକୁ ସ୍ଥିର କରିଛି।

ନିଲମ୍ବନ ପ୍ରତ୍ୟାହାର କରାଯିବାର ଅଳ୍ପ ସମୟ ପରେ ସିଂହ ସୁନିଶ୍ଚିତ ହୋଇ କହିଛନ୍ତି ଯେ, ‘ବିଜେପି’ ତାଙ୍କୁ ପୁଣି ଗ୍ରହଣ କରିବ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଗୋଶାମହଲ୍ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ଭାବେ ଠିଆ କରାଇବ।
ଉଲ୍ଲେଖଯୋଗ୍ୟ, ଭାରତ ରାଷ୍ଟ୍ର ସମିତି ଅଥବା କଂଗ୍ରେସ ପାର୍ଟିରେ ଯୋଗ ଦେବାର ଅଭିପ୍ରାୟ ନାହିଁ ବୋଲି ପୂର୍ବରୁ ସେ ଗୁରୁତ୍ବାରୋପ କରି କହିଥିଲେ।
ସଦ୍ୟତମ ସୂଚନା ଅନୁସାରେ, ତେଲେଙ୍ଗାନା ବିଧାନସଭା ପାଇଁ ‘ବିଜେପି’ ରିଲିଜ୍ କରିଥିବା ପ୍ରଥମ ପ୍ରାର୍ଥୀ ତାଲିକାରେ ଥିବା ୫୨ଜଣ ପ୍ରାର୍ଥୀଙ୍କ ମଧ୍ୟରେ ବିଧାୟକ ଟି. ରାଜା ସିଂହଙ୍କ ନାଁ ବି ଅଛି। ସେ ଗୋଶାମହଲ୍ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବେ।