ନିର୍ବାଚନ ଆୟୋଗଙ୍କ ନିକଟରେ ରାହୁଲଙ୍କ ବିରୋଧରେ ଆଚରଣ ବିଧି ଉଳ୍ଲଂଘନ ଅଭିଯୋଗ କଲା ବିଜେପି

ରାହୁଲ ଗାନ୍ଧିଙ୍କୁ ନିର୍ବାଚନ ଆୟୋଗର ନୋଟିସ

ନୂଆଦିଲ୍ଲୀ: ଗୁଜୁରାଟ ବିଧାନସଭା ନିର୍ବାଚନରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ମଙ୍ଗଳବାର ସନ୍ଧ୍ୟାରୁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଶେଷ ପର୍ଯ୍ୟାୟ ମତ ଗ୍ରହଣ ପାଇଁ ହାତରେ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି। ହେଲେ, ଗୁଜୁରାଟ ନିର୍ବାଚନକୁ ନେଇ ରାଜନୈତିକ ଦଳମାନଙ୍କର ଡ୍ରାମା ଏବେ ବି ସରି ନାହିଁ। ଆଜି ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲ୍ଳଂଘନ କରିଛନ୍ତି ବୋଲି ଅଭିଯୋଗ କରିଛି।

ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗରେ ନିର୍ବାଚନ ଆୟୋଗ ବୁଧବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନୋଟିସ ଜାରି କରିଛି। ଆଗାମୀ ଡିସେମ୍ବର ୧୮ ସୁଦ୍ଧା ଉତ୍ତର ରଖିବାକୁ ନିର୍ବାଚନ ଆୟୋଗ କହିଛି।

India Today

ନିର୍ବାଚନ କମିଶନଙ୍କ ନିକଟରେ ବିଜେପି କରିଥିବା ଅଭିଯୋଗରେ ଦର୍ଶାଇଛି ଯେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର ଶେଷ ହେବା ପରେ ଗୁଜୁରାଟର ଏକ ଘରୋଇ ଟିଭି ଚ୍ୟାନେଲ୍‌ ଗୁଜୁରାଟ ସମାଚାର ଟିଭିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ଏକ ସାକ୍ଷାତକାର ପ୍ରସାରିତ ହୋଇଥିଲା। ତେବେ, ପ୍ରଚାର ଶେଷ ହେବା ପରେ ଟିଭିରେ ପ୍ରସାରିତ ହୋଇଥିବା ରାହୁଲଙ୍କ ଏହି ସାକ୍ଷାତକାର ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରୁଛି ବୋଲି ବିଜେପି ନେତା କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲ ଅଭିଯୋଗ କରିଛନ୍ତି। ଟିଭିରେ ପ୍ରସାରିତ ହୋଇଥିବା ଏହି ସାକ୍ଷାତକାରରେ ରାହୁଲ କେନ୍ଦ୍ର ସରକାରଙ୍କ ବିମୁଦ୍ରାୟନ ଓ ଜିଏସ୍‌ଟିର ତୀବ୍ର ସମାଲୋଚନା କରିବା ସହ ଗୁଜୁରାଟରେ ବିକାଶ ବାଟବଣା ହୋଇଯାଇଛି ବୋଲି କହିଥିଲେ।

ତେବେ, ରାହୁଲଙ୍କ ଏହି ସାକ୍ଷାତକାର ପ୍ରସାରଣକୁ ବିରୋଧ କରି ବିଜେପି ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ କଂଗ୍ରେସ ମଧ୍ୟ ବିଜେପି ବିରୋଧରେ ପାଲଟା ଅଭିଯୋଗ କରିଛି। କଂଗ୍ରେସ ପ୍ରବକ୍ତା ରଣଦୀପ୍‌ ସୂରଜଓ୍ଵାଲା ଅଭିଯୋଗ କରି କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଏହି ସାକ୍ଷାତକାର ପ୍ରସାରିତ ହେବାପରେ ସଂପୃକ୍ତ ଟିଭି ଚ୍ୟାନେଲକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଧମକପୂର୍ଣ୍ଣ ଫୋନ୍‌ ଆସିବା ସହ ଚ୍ୟାନେଲ କର୍ତ୍ତୃପକ୍ଷଙ୍କୁ ଖୋଲାଖୋଲି ଭାବେ ଧମକ ଦିଆଯାଇଥିଲା।

 

ସମ୍ବନ୍ଧିତ ଖବର