ଚେନ୍ନାଇ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରିଥିବାବେଳେ ତାମିଲନାଡ଼ୁରେ ଇଣ୍ଡି ମେଣ୍ଟ ତଥା ଡିଏମ୍କେର ସମର୍ଥନ ଲୋଡ଼ିଛି। ବିଜେପି ତାମିଲନାଡ଼ୁ ରାଜ୍ୟ ସଭାପତି ନୈନାର ନଗେନ୍ଦ୍ରନ ସୋମବାର କହିଛନ୍ତି, ରାଧାକ୍ରିଷ୍ଣନ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ହେବା ରାଜ୍ୟର ଲୋକଙ୍କ ପାଇଁ କେବଳ ରାଜନୈତିକ ନିଷ୍ପତ୍ତି ନୁହେଁ, ବରଂ ଗର୍ବର ବିଷୟ। ଜଣେ ତାମିଲ ନେତାଙ୍କୁ ଏତେ ବଡ଼ ପଦବି ମିଳିବାକୁ ଯାଉଥିବାରୁ ଦଳମତ ନିର୍ବିଶେଷରେ ସମସ୍ତେ ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ତାଙ୍କୁ ସମର୍ଥନ କରିବା କଥା। ଲୋକସଭାରେ ଡିଏମ୍କେର ୨୨ ସାଂସଦ ଥିବାବେଳେ ରାଜ୍ୟସଭାରେ ୧୦ ଜଣ ଅଛନ୍ତି। ଏନ୍ଡିଏ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ପାଇଁ ଏହା ନିକଟରେ ଆବଶ୍ୟକୀୟ ସଂଖ୍ୟା ଗରିଷ୍ଠତା ରହିଥିଲେ ବି ଡିଏମ୍କେ, କଂଗ୍ରେସ ସମେତ ପୂରା ଇଣ୍ଡି ମେଣ୍ଟକୁ ରାଜନୀତିରୁ ଊର୍ଦ୍ଧ୍ବକୁ ଯାଇ ଜଣେ ତାମିଲନାଡ଼ୁ ବାସିନ୍ଦାଙ୍କୁ ସମର୍ଥନ କରିବାକୁ ବିଜେପି ପକ୍ଷରୁ ନିବେଦନ କରାଯାଇଛି।
ଅନ୍ୟପକ୍ଷରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନଙ୍କ ସହିତ ରାଧାକ୍ରିଷ୍ଣନଙ୍କର ଭଲ ସମ୍ପର୍କ ରହିଛି। ଷ୍ଟାଲିନ ଅସୁସ୍ଥ ଥିବାବେଳେ ଗତ ୧୧ ତାରିଖରେ ରାଧାକ୍ରିଷ୍ଣନ ତାଙ୍କୁ ତାଙ୍କ ଚେନ୍ନାଇସ୍ଥିତ ବାସଭବନକୁ ଯାଇ ଭେଟିଥିଲେ। ଏହାସହିତ ରାଧାକ୍ରିଷ୍ଣନ ଗାଉଣ୍ଡର ସମ୍ପ୍ରଦାୟର ହୋଇଥିବାବେଳେ ସେମାନେ ବସବାସ କରୁଥିବା ପଶ୍ଚିମାଞ୍ଚଳକୁ ଏଆଇଏଡିଏମକେର ଗଡ଼ ବୋଲି କୁହାଯାଏ। ଏଠାରେ ଡିଏମ୍କେ ଏବେ ପାଦ ଥାପି ଥିବାବେଳେ ଗାଉଣ୍ଡର ସମ୍ପ୍ରଦାୟକୁ ନିଜ ପକ୍ଷକୁ ନେବାକୁ ରାଧାକ୍ରିଷ୍ଣନଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କରିପାରେ ବୋଲି ଅନୁମାନ କରାଯାଉଛି। ଆସନ୍ତାବର୍ଷ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ରାଧାକ୍ରିଷ୍ଣନଙ୍କ ପ୍ରାର୍ଥୀତ୍ବ ବିଜେପିକୁ ଫାଇଦା ଦେବ ବୋଲି ମଧ୍ୟ ଆଶା କରାଯାଉଛି।
ଷ୍ଟାଲିନଙ୍କ ସହ କଥା ହୋଇଥିଲେ ରାଜନାଥ
ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ଅଧ୍ୟକ୍ଷ ଏମ୍କେ ଷ୍ଟାଲିନଙ୍କ ସହ ଫୋନରେ କଥା ହୋଇ ଉପରାଷ୍ଟ୍ରପତି ପଦ ପାଇଁ ଜଣେ ସାଧାରଣ ସର୍ବମାନ୍ୟ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ କହିଛନ୍ତି। ବିଜେପି ରାଧାକ୍ରିଷ୍ଣନଙ୍କ ପ୍ରାର୍ଥିତ୍ୱ ଘୋଷଣା କରିବାର କିଛିଦିନ ପୂର୍ବରୁ ରାଜନାଥଙ୍କ ସହ ହୋଇଥିବା ଆଲୋଚନାରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ତାଙ୍କୁ କୌଣସି ପ୍ରତିଶ୍ରୁତି ଦେଇ ନ ଥିଲେ ବୋଲି ଡିଏମ୍କେର ଏକ ସୂତ୍ରରୁ ଜଣାପଡ଼ିଛି। ଡିଏମ୍କେ ପାଇଁ ଏହା ଏକ କଠିନ ନିଷ୍ପତ୍ତି ହୋଇପାରେ, କାରଣ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲନାଡୁର ଜଣେ ପ୍ରାର୍ଥୀଙ୍କୁ ବିରୋଧ କରିବା ଏକ ବୁଦ୍ଧିମାନ ପଦକ୍ଷେପ ଭାବରେ ଦେଖାଯାଇ ନ ପାରେ। ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀଙ୍କୁ ଦଳ ରାଜନୈତିକ ସମର୍ଥନ କରିପାରିବ ନାହିଁ। ଡିଏମ୍କେ କଂଗ୍ରେସ, ବାମପନ୍ଥୀ ଦଳ ଓ ଅନ୍ୟ କେତେକ ଦଳ ସହ ମେଣ୍ଟ କରିଛି। ଅତୀତରେ କମ୍ୟୁନିଷ୍ଟମାନଙ୍କ ବ୍ୟତୀତ ତାମିଲନାଡୁର ଅନ୍ୟାନ୍ୟ ଦଳ ଏପିଜେ ଅବଦୁଲ କଲାମଙ୍କ ରାଷ୍ଟ୍ରପତି ପ୍ରାର୍ଥିତ୍ୱକୁ ସମର୍ଥନ କରିଥିଲେ, ଯଦିଓ ସେ ବିଜେପି ପ୍ରାର୍ଥୀ ଥିଲେ। ସେତେବେଳେ ଡିଏମ୍କେ ଏନ୍ଡିଏରେ ଥିଲା। ଅନ୍ୟପକ୍ଷରେ ସିପିଆଇ(ଏମ୍)ର ସାଧାରଣ ସମ୍ପାଦକ ଏମ୍ଏ ବେବି କହିଛନ୍ତି ଯେ ତାଙ୍କ ଦଳ ରାଧାକ୍ରିଷ୍ଣନଙ୍କୁ ସମର୍ଥନ କରିବ ନାହିଁ। ସିପିଆଇ(ଏମ୍)ର ରାଜ୍ୟ ସମ୍ପାଦକ ପି ଷଣ୍ମୁଗମ୍ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଦଳ ରାଧାକ୍ରିଷ୍ଣନଙ୍କୁ ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ, କାରଣ ସେ ଜଣେ ବିଜେପି ପ୍ରାର୍ଥୀ ଏବଂ ତାଙ୍କ ନିର୍ବାଚନ ତାମିଲନାଡୁ ପାଇଁ ଟିକିଏ ବି ଫାଇଦା ଆଣିବ ନାହିଁ। କେବଳ ସେ ତାମିଲନାଡୁର ହୋଇଥିବାରୁ ଆମେ ତାଙ୍କୁ ସମର୍ଥନ କରିପାରିବୁ ନାହିଁ।