ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଶନିବାର କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ତାଙ୍କ ଦଳକୁ ଟାର୍ଗେଟ କରି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି। କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ଝାଡ଼ଖଣ୍ଡ ଓ ଓଡ଼ିଶାରେ ଥିବା ବାସଭବନରେ ଆୟକର ଚଢ଼ଉ ଚାଲିଥିବା ବେଳେ ୨୦୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି। ବୁଧବାର ଠାରୁ ଏହି ଚଢ଼ଉ ଜାରି ରହିଛି। ବିଜେପି ନେତା ଅମିତ ମାଲବ୍ୟ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ସହ ଦେଖିବାକୁ ମିଳୁଛି।
ଏହି ଭିଡିଓର କ୍ୟାପସନରେ ଲେଖାଯାଇଛି ଯେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରା ପ୍ରକୃତରେ ଭାରତର ଚୋରମାନଙ୍କୁ ଯୋଡିବା ପାଇଁ ଏକ ଯାତ୍ରା ଥିଲା। ଝାଡ଼ଖଣ୍ଡରେ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ଘରୁ ମିଳିଥିବା ପ୍ରାୟ ୩୦୦ କୋଟି ଟଙ୍କା ଏହାର ଜ୍ବଳନ୍ତ ପ୍ରମାଣ। ଅନ୍ୟ ଏକ ପୋଷ୍ଟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ଅମିତ ମାଲବ୍ୟ କହିଛନ୍ତି, ଆଜି ଦୁର୍ନୀତି ଦୋକାନର ମାଲିକଙ୍କ ଜନ୍ମଦିନ। ଏହା କେବଳ ଏକ ସଂଯୋଗ!