ହିନ୍ଦୁତ୍ବ, ବାବ୍ରି ମସଜିଦ୍‌ ଧ୍ବଂସ ଏବଂ ସହରର ନାମ ପରିବର୍ତ୍ତନ ପ୍ରସଙ୍ଗ: ବିଜେପି-ଶିବସେନା ମୁହାଁମୁହିଁ

ନୂଆଦିଲ୍ଲୀ : ‘ହିନ୍ଦୁତ୍ବ’, ବାବ୍ରି ମସଜିଦ ଧ୍ବଂସ ମାମଲା ଏବଂ ସହରର ନାମ ପରିବର୍ତ୍ତନ କରିବା ପ୍ରସଙ୍ଗରେ ବିଜେପି ଏବଂ ଶିବସେନା ମଧ୍ୟରେ ବାକ୍‌ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ହିନ୍ଦୁତ୍ବକୁ ନେଇ ବିଜେପି ବିରୋଧରେ ଟିପ୍ପଣୀ ରଖିବାର ଦିନକ ପରେ ଆଜି ଫଡ଼ନାବିସ ଏହାର କଡ଼ା ଜବାବ ଦେଇଛନ୍ତି। ଫଡ଼ନାବିସ ଦାବି କରିଛନ୍ତି ଯେ, ସେନାର ହିନ୍ଦୁତ୍ବ ଏହାର ନୀତି ନିୟମରେ ପ୍ରତିଫଳନ ‌ହେଉନାହିଁ। ତେଣୁ ଏହା ରାଜ୍ୟରେ ଭରସା ହରାଉଛି। ଔରଙ୍ଗାବାଦକୁ ସମ୍ଭାଜୀନଗର ଏବଂ ଓସମାନାବାଦକୁ ଧରାଶିବ ନାମରେ ନାମିତ କରିବାରେ ବିଳମ୍ବ ହେଉଥିବାରୁ ଫଡ଼ନାବିସ ଏହି ପ୍ରସଙ୍ଗରେ ଶିବସେନା ଉପରେ ବର୍ଷିଛନ୍ତି। ଫଡ଼ନାବିସଙ୍କ ଟିପ୍ପଣୀର ଉତ୍ତର ରଖି ସଂଜୟ ରାଉତ କହିଛନ୍ତି, ଶିବସେନାର ହିନ୍ଦୁତ୍ବ ହେଉଛି ବିଶ୍ବାସର ବିଷୟ, ରାଜନୀତିର ନୁହେଁ। ହିନ୍ଦୁତ୍ବ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ। ଏହା ବିଶ୍ବାସ ଏବଂ ସଂସ୍କୃତିର ବିଷୟ। ଯଦି ବିଜେପି ଭାବୁଛି ଯେ, ଏହା ହିନ୍ଦୁତ୍ବର ମାଲିକ ତେବେ ଏହା ଭୁଲ୍‌ କରୁଛି। ରାଉତ କହିଛନ୍ତି, ନିର୍ବାଚନ ଲଢ଼ିବା ଏବଂ ନିର୍ବାଚନ ଜିତିବା‌ କିମ୍ବା ହାରିବା ହିନ୍ଦୁତ୍ବ ସାର୍ଟିଫିକେଟ୍‌ ନୁହେଁ। ସଭରକର ହିନ୍ଦୁତ୍ବର ସବୁଠୁ ବଡ଼ ଚାମ୍ପିଅନ୍‌ ଥିଲେ। କିନ୍ତୁ ତାଙ୍କ ହିନ୍ଦୁ ମହାସଭା କେବେ ବି ରାଜନୀତିରେ ସଫଳ ହୋଇନାହିଁ। ତେବେ ବି ହିନ୍ଦୁ୍ତ୍ବକୁ ନେଇ ତାଙ୍କ ଚିନ୍ତାଧାରା ଏବେ ବି ଉଜ୍ଜ୍ବଳିତ ହୋଇ ରହିଛି ବୋଲି ସେ କହିଛନ୍ତି।

ଉଦ୍ଧବ ଠାକ୍‌ରେ ଶିବସେନାର ପ୍ରତିଷ୍ଠାତା ଏବଂ ତାଙ୍କ ବାପା ବାଲାସାହେବ ଠାକ୍‌ରେଙ୍କ ୯୬ତମ ଜୟନ୍ତୀ ଉତ୍ସବ ଅବସରରେ ଗତକାଲି ଦଳୀୟ କର୍ମୀମାନଙ୍କୁ ଭର୍ଚୁଆଲ ମୋଡ୍‌ରେ ଉଦ୍‌ବୋଧନ ଦେବା ସମୟରେ ବିଜେପି ସହ ମେଣ୍ଟ ସଂକ୍ରାନ୍ତରେ ଏକ ଟିପ୍ପଣୀ ରଖିଥିଲେ। ଠାକ୍‌ରେ କହିଥିଲେ ଶିବସେନା ବିଜେପି ସହ ୨୫ ବର୍ଷ ନଷ୍ଟ କରିଦେଇଛି। ସେ କହିଥିଲେ ଶିବସେନା ହିନ୍ଦୁତ୍ବକୁ କେବେ ପଛ କରିପାରିବନି। କିନ୍ତୁ ବିଜେପିର ହିନ୍ଦୁତ୍ବ କେବଳ ଛଳନା। ସେମାନଙ୍କ ହିନ୍ଦୁତ୍ବ କେବଳ କ୍ଷମତା ପାଇଁ। ଠାକ୍‌ରେ କହିଛନ୍ତି, ବିଜେପି କେବଳ କ୍ଷମତା ହାସଲ ପାଇଁ ଆଞ୍ଚଳିକ ଦଳମାନଙ୍କ ସହ ମେଣ୍ଟ କରିଛି। ଜବାବ ଦେଇ ଫଡ଼ନାବିସ କହିଛନ୍ତି, ଠାକ୍‌ରେ ଇତିହାସ ଭୁଲି ଯାଇଛନ୍ତି ଯେ ୨୦୧୨ ପର୍ଯ୍ୟନ୍ତ ବାଲାସାହେବ ଠାକ୍‌ରେ ଏହି ମେଣ୍ଟର ନେତା ଥିଲେ। ଠାକ୍‌ରେଙ୍କର ଏହି କଥା ବାଲାସାହେବ ମେଣ୍ଟରେ ରହିବା ସଂକ୍ରାନ୍ତ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛି। ତେବେ ଠାକ୍‌ରେଙ୍କୁ ମୁଁ ଏହା ଜଣାଇ ଦେବାକୁ ଚାହୁଛି ଯେ ଶିବସେନା ସୃଷ୍ଟି ହେବା ପୂର୍ବରୁ ବିଜେପିର କର୍ପୋ‌ରେଟର ଏବଂ ବିଧାୟକ ଥିଲେ।

ସମ୍ବନ୍ଧିତ ଖବର