ବିଜେପି-ଶିବସେବା ଆସନ ଭାଗବଣ୍ଟା ତୁଟୁନି:୨୪-୨୪ ଫର୍ମୁଲା ଗ୍ରହଣ କରିବାକୁ ସେନା ନାରାଜ

ମହାରାଷ୍ଟ୍ରରେ ଆମେ ହିଁ ବଡ଼ଭାଇ: ରାଉତ

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ଲଗାତାର ପ୍ରୟାସ ସତ୍ତ୍ବେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ନିମନ୍ତେ ଶିବସେନା ଏ ପର୍ଯ୍ୟନ୍ତ ସହମତି ପ୍ରକାଶ କରିନାହିଁ। ମହାରାଷ୍ଟ୍ରରେ ଶିବସେନା ହିଁ ସବୁଠାରୁ ଶକ୍ତିଶାଳୀ ଦଳ ଏବଂ ଆମେ ହିଁ ଏଠାରେ ବଡ଼ ଭାଇ, ଏକଥା ବିଜେପି ନେତୃତ୍ବ ମନେ ରଖିବା ଉଚିତ ବୋଲି ସେନାର ବରିଷ୍ଠ ନେତା ସଂଜୟ ରାଉତ କହିଛନ୍ତି। ବିଜେପି ସହିତ ଆସନ ବୁଝାମଣା ନିମନ୍ତେ ଆଜି ଦଳ ସୁପ୍ରିମୋ ଉଦ୍ଧବ ଠା‌କ୍‌ରେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ କେଉଁ ଫର୍ମୁଲାରେ ବିଜେପି-ଶିବସେନା ମେଣ୍ଟ ସମ୍ଭବ ହେବ ସେ ନେଇ କୌଣସି ସହମତି ହୋଇପାରି ନାହିଁ। ମହାରାଷ୍ଟ୍ରର ୪୮ ଲୋକସଭା ଆସନରୁ ଉଭୟ ଦଳ ୨୪-୨୪ ଆସନରେ ନିର୍ବାଚନ ଲଢ଼ିବାକୁ କେତେକ ନେତାଙ୍କ ପ୍ରସ୍ତାବକୁ ମଂଜୁରି ମିଳିନାହିଁ। ସେନା ନିଜର ଶକ୍ତି ଆଧାରରେ ଆସନ ସ୍ଥିର କରିବ ବୋଲି ଆଜି କେତେକ ବରିଷ୍ଠ ନେତା ବୟାନ ଦେଇଛନ୍ତି। ଏ ବାବଦରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଖୁବ୍‌ଶୀଘ୍ର ଶିବସେନା ସହିତ ଏକ ବୈଠକରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।
୨୪-୨୪ ଫର୍ମୁଲାକୁ ଆଜି ସେନା ବୈଠକରେ ସମର୍ଥନ ମିଳିନଥିବାରୁ ବିଜେପି ପରବର୍ତ୍ତୀ ରଣନୀତି ପାଇଁ ପ୍ରସ୍ତୁତ ହେଉଛି। ବିଜେପିକୁ ସବୁ ପ୍ରସଙ୍ଗରେ ଶିବସେନା କଡ଼ା ସମାଲୋଚନା କରି ଆସୁଥିଲେ ମଧ୍ୟ ଖୁବ୍‌ଶୀଘ୍ର ଆସନ ବୁଝାମଣା ପାଇଁ ଆଗ୍ରହ ଦେଖାଇବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର