ନରସିଂହ ରାଓ ଧ୍ୟାନ ଦେଇଥିଲେ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ହୋଇନଥାନ୍ତା: ମନମୋହନ

ନୂଆଦିଲ୍ଲୀ: ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୧୯୮୪ ଶିଖ୍‌ ଦଙ୍ଗାକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯଦି ତତ୍କାଳୀନ ଗୃହମନ୍ତ୍ରୀ ପି.ଭି. ନରସିଂହ ରାଓ ଇନ୍ଦ୍ର କୁମାର ଗୁଜରାଲଙ୍କ ପରାମର୍ଶ ପ୍ରତି ଧ୍ୟାନ ଦେଇଥାନ୍ତେ ତା’ହେଲେ ୧୯୮୪ରେ ଶିଖ୍‌ ବିରୋଧୀ ଦଙ୍ଗାକୁ ଟାଳି ଦିଆଯାଇ ପାରିଥାନ୍ତା। ପୂର୍ବ ପ୍ରଧାନମନ୍ତ୍ରୀ ଗୁଜରାଲଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମନମୋହନ ଏକଥା କହିଛନ୍ତି।

ଦିଲ୍ଲୀରେ ୧୯୮୪ରେ ଶିଖ୍‌ ବିରୋଧୀ ଦଙ୍ଗା ସମୟରେ ଗୁଜରାଲ ତତ୍କାଳୀନ ଗୃହମନ୍ତ୍ରୀ ନରସିଂହ ରାଓଙ୍କୁ ଭେଟି ଦଙ୍ଗା ନିୟନ୍ତ୍ରଣ ପାଇଁ ତୁରନ୍ତ ସେନା ଡକାଇବା ଜରୁରୀ ବୋଲି କହିଥିଲେ। ତେବେ ରାଓ ଗୁଜରାଲଙ୍କ ଏହି ପ୍ରସ୍ତାବକୁ ଗୁରୁତ୍ବ ଦେଇନଥିଲେ ଏବଂ ଏକ ବଡ଼ ନରସଂହାର ଘଟଣା ଘଟିଥିଲା। ୧୯୮୪ରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ତାଙ୍କ ସୁରକ୍ଷା କର୍ମୀ ହତ୍ୟା କରିବା ପରେ ଦେଶରେ ଶିଖ୍‌ ବିରୋଧୀ ଦଙ୍ଗା ହୋଇଥିଲା। ଏହି ଦଙ୍ଗାରେ ୩୩୨୫ ଲୋକଙ୍କ ମୃତ୍ୟୁ ଘଟିଥିଲା। କେବଳ ଦିଲ୍ଲୀରେ ୨୭୩୩ ଲୋକଙ୍କ ମୃତ୍ୟୁ ଘଟିଥିଲା। ଗୃହ ମନ୍ତ୍ରାଳୟ ଦ୍ବାରା ନିଯୁକ୍ତ ଜଷ୍ଟିସ୍‌ ଜି.ପି. ମାଥୁରଙ୍କ କମିଟିର ସୁପାରିସକ୍ରମେ ୧୨ ଫେବ୍ରୁଆରି ୨୦୧୫ରେ ଏସ୍‌ଆଇଟି ଗଠନ ହୋଇଥିଲା। କମିଟି ଏ ସଂକ୍ରାନ୍ତ ରିପୋର୍ଟ ସୁପ୍ରିମ୍‌ କୋର୍ଟରେ ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର