ଅହମଦାବାଦ: ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କୁ ନେଇ ଗୁଜରାଟ ସରକାରରେ ଦେଖାଦେଇଥିବା ସଙ୍କଟ ଆଜି ଟଳିଛି। ବିଭାଗ ଆବଣ୍ଟନରେ ନ୍ୟାୟ ମିଳିନଥିବାରୁ ଅଭିମାନ କରି ଇସ୍ତଫା ଧମକ ଦେଇଥିବା ପଟେଲଙ୍କୁ ଆଜି ଅର୍ଥ ମନ୍ତ୍ରାଳୟ ପ୍ରଦାନ କରାଯାଇଛି । ନିଜ ଦାବି ମୁତାବକ ଗୁରୁତ୍ୱପୂର୍ଣ୍ଣ ଅର୍ଥ ମନ୍ତ୍ରାଳୟ ପାଇବା ପରେ ଆଜି ନୀତିନ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ବିଭାଗ ପରିବର୍ତ୍ତନ ନେଇ ରାଜ୍ୟପାଳ ଓ ପି କୋହଲିଙ୍କୁ ଆଜି ଅପରାହ୍ନରେ ଅବଗତ କରାଇଛନ୍ତି। ନୂଆ ସରକାରରେ ତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦିଆଯାଇନଥିବା ଅଭିଯୋଗ କରି ନୀତିନ ଦାୟିତ୍ୱ ଗ୍ରହଣ କରିନଥିଲେ ଏବଂ ସରକାରରୁ ଇସ୍ତଫା ଦେବାକୁ ଧମକ ଦେଇଥିଲେ। ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନୀତିନଙ୍କୁ ଫୋନ୍ କରି ଏ ବାବଦରେ ଆଲୋଚନା କରିବା ସହ ପୂର୍ବ ସରକାରରେ ତାଙ୍କ ହାତରେ ଥିବା ଅର୍ଥ ମନ୍ତ୍ରାଳୟ ଏଥର ମଧ୍ୟ ପ୍ରଦାନ କରାଯିବ ବୋଲି ଆଶ୍ୱସ୍ତ କରିଥିଲେ। ଶାହଙ୍କ ଫୋନ୍ ପରେ ନୀତିନ ନିଜ ଅଭିମାନ ଭାଙ୍ଗି ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଅପରାହ୍ନରେ ତାଙ୍କୁ ଅର୍ଥ ମନ୍ତ୍ରାଳୟ ଦିଆଯାଇଥିବା ଘୋଷଣା କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଏଥର ଷଷ୍ଠ ଥର ପାଇଁ ବିଜେପି କ୍ଷମତାକୁ ଆସିବା ପରେ ନୀତିନଙ୍କୁ ପୂର୍ବ ଭଳି ଉପ ମୁଖ୍ୟମନ୍ତ୍ରୀ କରାଯାଇଥିଲେ ମଧ୍ୟ ତାଙ୍କ ହାତରୁ ଅର୍ଥ, ସହରାଞ୍ଚଳ ବିକାଶ ଓ ତୈଳ ଆଦି ମନ୍ତ୍ରାଳୟ କାଢ଼ି ନିଆଯାଇଥିଲା। ଏଥିରେ ନୀତିନ ତୀବ୍ର ଅସନ୍ତୋଷ ପ୍ରକାଶ କରି ବିଦ୍ରୋହ କରିଥିଲେ। ଗୁଜରାଟ ଶାସକ ଦଳର କନ୍ଦଳରୁ ଫାଇଦା ଉଠାଇବାକୁ ଉଦ୍ୟମ କରି ନୀତିନଙ୍କୁ ସରକାର ଭାଙ୍ଗିବା ପାଇଁ କଂଗ୍ରେସ ଦଳ ଓ ପଟିଦାର ନେତା ହାର୍ଦ୍ଦିକ ପଟେଲ ଆହ୍ଵାନ ଦେଇଥିବାରୁ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଥିଲା।
ନୀତିନଙ୍କ ଦାବି ଆଗରେ ନଇଁଲା ବିଜେପି
ଅର୍ଥ ମନ୍ତ୍ରାଳୟ ମିଳିବା ପରେ ଦାୟିତ୍ୱ ନେଲେ
/sambad/media/post_attachments/wp-content/uploads/2017/12/190344-nitin-patel.jpg)