ନୂଆଦିଲ୍ଲୀ: ଦିଲ୍ଲୀରେ ସରକାରୀ ସ୍କୁଲ୍ଗୁଡ଼ିକର ସ୍ଥିତି ସଂକ୍ରାନ୍ତରେ ବିଜେପି ପକ୍ଷରୁ ନିକଟରେ ଏକ ଭିଡିଓ ଜାରି ହୋଇଥିଲା। ଦିଲ୍ଲୀର ଅନେକ ସରକାରୀ ସ୍କୁଲ୍ର ସ୍ଥିତି କେତେ ଶୋଚନୀୟ ରହିଛି ତାହା ଏହି ଭିଡିଓ ମାଧ୍ୟମରେ ବିଜେପି ଦେଖାଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏହି ଭିଡିଓକୁ ମିଥ୍ୟା ବୋଲି କହିଥିଲେ। ତେବେ ବିଜେପି ପକ୍ଷରୁ ଆପ୍କୁ ଟାର୍ଗେଟ୍ କରି ପୁଣି ଏକ ନୂଆ ଭିଡିଓ ଜାରି ହୋଇଛି। ଦିଲ୍ଲୀରେ ମହଲ୍ଲା କ୍ଲିନିକ୍ଗୁଡ଼ିକର ସ୍ଥିତି କେତେ ଦୟନୀୟ ସ୍ଥିତିରେ ରହିଛି ତାହା ଏହି ଭିଡିଓରେ ଦେଖାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ଦିଲ୍ଲୀରେ ମହଲ୍ଲା କ୍ଲିନିକ୍ର ସ୍ଥିତି ଅତ୍ୟନ୍ତ ଶୋଚନୀୟ। ମହଲ୍ଲା କ୍ଲିନିକ୍ରେ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ସ୍କାନ୍ ପାଇଁ ଉତ୍ତମ ବ୍ୟବସ୍ଥା ନାହିଁ। ଡାକ୍ତରମାନେ ମଧ୍ୟ ନିୟମିତ ଆସୁନାହାନ୍ତି। ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ମଧ୍ୟ ଆଜି ଏକ ଟ୍ବିଟ୍ କରି କହିଛନ୍ତି ଯେ ଆପ୍ ୨୦୧୫ରେ କ୍ଷମତାକୁ ଆସିବା ସମୟରେ ୧୦୦୦ ମହଲ୍ଲା କ୍ଲିନିକ୍ ଖୋଲିବାପାଇଁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏହି ପ୍ରତିଶ୍ରୁତି ଆପ୍ ପୂରଣ କରିନାହିଁ। ବିଜେପି ପକ୍ଷରୁ ଜାରି ହୋଇଥିବା ଏହି ଭିଡିଓ ସଂକ୍ରାନ୍ତରେ ଆପ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।
ଆପ୍କୁ ଟାର୍ଗେଟ୍ କରି ବିଜେପିର ନୂଆ ଭିଡିଓ
/sambad/media/post_attachments/wp-content/uploads/2020/02/srgsdg4sdg7d965g465dsa74g65da4gdagadgadgggggggg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)