ଜାତୀୟ ପରିଷଦ ବୈଠକ ଉଦ୍‌ଯାପିତ: ବିଜେପିର ମାନସମନ୍ଥନ ଟାର୍ଗେଟରେ କଂଗ୍ରେସ

ଜଣଙ୍କୁ ହରାଇବାକୁ ସବୁ ଦଳ ଏକଜୁଟ

ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଳା ପଡ଼ିଆରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବିଜେପି ଜାତୀୟ ପରିଷଦ ବୈଠକ ଆଜି ଉଦ୍‌ଯାପିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ କେବେ ୨ ଜଣ ସାଂସଦଙ୍କ ଦଳ କୁହାଯାଉଥିବା ବିଜେପି ଆଜି ବିଶାଳ କଳେବରରେ ତା’ର ରାଷ୍ଟ୍ରୀୟ ଅଧିବେଶନ ଆୟୋଜନ କରୁଛି ଏବଂ ଏହା ବିଭିନ୍ନ ଦୃଷ୍ଟିରୁ ଅବିସ୍ମରଣୀୟ। ବିରୋଧୀ ଦଳମାନେ ଦେଶରେ ଏକ ଅସହାୟ ସରକାର ଚାହୁଥିବା ବେଳେ ଦେଶ ମଜବୁତ୍ ସରକାର ଏବଂ ଦୃଢ଼ ନେତୃତ୍ବ ଚାହୁଛି । ଦେଶର ପ୍ରଧାନ ସେବକ କିଭଳି ହେବ ତାହା ଦେଶବାସୀ ସ୍ଥିର କରିବେ ବୋଲି ମତ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ- କ’ଣ ଆପଣ ଏଭଳି ସେବକଙ୍କୁ ପସନ୍ଦ କରିବେ ଯିଏ ଆପଣଙ୍କ ଘରର ଅର୍ଥ ଚୋରି କରି ନିଜ ପରିବାରରେ ବାଣ୍ଟିବ। କ’ଣ ଆପଣ ଏଭଳି ସେବକ ଚାହିଁବେ ଯିଏ ପଡ଼ୋଶୀଙ୍କୁ ଆଣଙ୍କ ଘରର ସବୁକଥା କହିଦେଉଥିବ। ଆପଣ ନିଜ ଘର ପାଇଁ ଯେଭଳି ସେବକ ଟିଏ ଚାହୁଛନ୍ତି, ଦେଶପାଇଁ ମଧ୍ୟ ସେବଳି ସେବକ ଚୟନ କରିବାକୁ ହେବ । ୨୦୧୯ର ଲଢ଼େଇ ପରିବାରବାଦ ଏବଂ ସମ୍ବିଧାନ ଉପରେ ଭରସା ରଖୁଥିବା ଲୋକଙ୍କ ମଧ୍ୟରେ ହେବ। ଏନ୍‌ଡିଏ ସରକାର ଦେଶକୁ ସ୍ବଚ୍ଛ ଶାସନ ଦେଇଛି ଏବଂ ଇତିହାସରେ ପ୍ରଥମ ଥର ପାଇଁ ବର୍ତ୍ତମାନର ସରକାର ‌ବିରୋଧରେ ଗୋଟିଏ ବି ଦୁର୍ନୀତି ଅଭିଯୋଗ ନାହିଁ ବୋଲି ମୋଦୀ କହିଥିଲେ। ରାମ ମନ୍ଦିର ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ୍‌ କରିଥିଲେ। କଂଗ୍ରେସ ଏହି ପ୍ରସଙ୍ଗରେ କୋର୍ଟରେ ନାନା ପ୍ରତିବନ୍ଧକ ସୃଷ୍ଟି କରୁଛି। କଂଗ୍ରେସ ନିଜ ଓକିଲଙ୍କ ଦ୍ବାରା ମାମଲାକୁ ଗଡ଼ାଇବା ପାଇଁ ଜୋର୍‌ଦାର ପ୍ରୟାସ କରୁଛି। କଂଗ୍ରେସର ଏଭଳି ଆଚରଣକୁ ଦେଶବାସୀ ଦେଖୁଛନ୍ତି। ଅଯୋଧ୍ୟ ମାମଲାରେ ରାୟ ଆସିବା କଂଗ୍ରେସ ଚାହୁନାହିଁ। କଂଗ୍ରେସ ଏବଂ ତା’ର ନାମଦାର ପରିବାର ଦେଶର ବ୍ୟବସ୍ଥାକୁ କିଭଳି ଭାଙ୍ଗିବାକୁ ହୁଏ ତାହା ଭଲଭାବେ ଜାଣନ୍ତି। ନ୍ୟାସନାଲ ହେରାଲ୍‌ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷ ଏବଂ ୟୁପିଏ ଅଧ୍ୟକ୍ଷା ଜାମିନରେ ବାହାରେ ଅଛନ୍ତି ବୋଲି ମୋଦୀ କହିଥିଲେ। ଅଗସ୍ତା ୱେଷ୍ଟଲାଣ୍ଡ୍‌ ଦୁର୍ନୀତିରେ ଦୁବାଇରୁ ପ୍ରତ୍ୟର୍ପଣ ହୋଇ ଭାରତ ଅଣାଯାଇଥିବା କ୍ରିଷ୍ଟେନ୍‌ ମିସେଲ ପ୍ରସଙ୍ଗରେ ମୋଦୀ କହିଥିଲେ, ବିଦେଶୀ ଦଲାଲଠାରୁ ଏବେ ବହୁତ ତଥ୍ୟ ସାମ୍ନାକୁ ଆସୁଛି। ଜଣେ ବି ଦେଶର ଲୁଟେରାଙ୍କୁ ଚୌକିଦାର ଛାଡ଼ିବ ନାହିଁ କି ଚୌକିଦାର ଅଟକିବ ନାହିଁ । ଏବେ ଦେଶରେ ବିରୋଧୀ ଦଳ କେବଳ ଜଣେ ବ୍ୟକ୍ତିଙ୍କୁ ହରାଇବା ପାଇଁ ଏକଜୁଟ୍‌ ହୋଇଛି । ବିରୋଧୀ ଦଳମାନେ ନିଜ ନିଜର ବିଚାରଧାରାକୁ ଜଳାଞ୍ଜଳି ଦେଇ କେବଳ ଜଣକୁ ହରାଇବା ପାଇଁ ପରସ୍ପର ହାତ ମିଳାଇଛନ୍ତି ବୋଲି ମୋଦୀ କହିଥିଲେ।

‘ଅବ୍‌ କି ବାର୍‌, ଫିର୍‌ ମୋଦୀ ସରକାର’
ନୂଆଦିଲ୍ଲୀ:୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏଥର ‘ଅବ୍‌ କି ବାର୍‌, ଫିର୍‌ ମୋଦୀ ସରକାର’ ସ୍ଲୋଗାନ ସହ ମଇଦାନକୁ ଓହ୍ଲାଇବ। ଦିଲ୍ଲୀରେ ଅନୁଷ୍ଠିତ ବିଜେପି ଜାତୀୟ ପରିଷଦ ବୈଠକରେ ଏହି ସ୍ଲୋଗାନ ପ୍ରକମ୍ପିତ ହୋଇଥିଲା। ୨୦୧୪ରେ ବିଜେପିର ସ୍ଲୋଗାନ ଥିଲା ‘ଅବ୍‌ କି ବାର୍‌ ମୋଦୀ ସରକାର’। ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶରେ ଏହି ସ୍ଲୋଗାନର ପୋଷ୍ଟର ଲାଗିବା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର