ବିଜେପିର କଂଗ୍ରେସ ଦମନ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ବିଜେପିର ଚମତ୍କାର ପ୍ରଦର୍ଶନ ଯୋଗୁଁ ସେଠାରେ ଏନ୍‌ଡିଏ ଶାସନ କ୍ଷମତାକୁ ବଜାୟ ରଖିପାରିଲା। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପ୍ରଚାରରେ ଆର୍‌ଜେଡି ଶାସନ ସମୟର ଜଙ୍ଗଲରାଜ ଏବଂ କଂଗ୍ରେସ ଦଳର ଆଭିମୁଖ୍ୟ ଉପରେ କଡ଼ା ପ୍ରହାର କରିଥିଲେ। ବିଜେପିର ସୁଚିନ୍ତିତ ରଣନୀତି କଂଗ୍ରେସକୁ ବିହାରରେ ଧୂଳିସାତ୍‌ କରିଦେଇଥିବା ବେଳେ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ଉପନିର୍ବାଚନରେ ମୂଳପୋଛ କରିଦେଇଛି। ପରିସ୍ଥିତି ଏଭଳି ହୋଇଛି ଯେ କଂଗ୍ରେସକୁ ନେଇ ଭବିଷ୍ୟତରେ ମେଣ୍ଟ କରିବାକୁ ମଧ୍ୟ ଅନ୍ୟ ଆଞ୍ଚଳିକ ଦଳମାନେ ପଛାଇବେ ବୋଲି କୁହାଯାଉଛି। ଆର୍‌ଜେଡି ଓ କଂଗ୍ରେସ ସମ୍ବଳିତ ମହାମେଣ୍ଟକୁ ବିଜେପି ଯେପରି ଭାବେ ମାତ୍‌ ଦେଇପାରିଲା ତାହା ହିଁ ରାଜନୀତି ମହଲରେ ରୋଚକ ଚର୍ଚ୍ଚାର ବିଷୟ ପାଲଟିଛି। ବିହାରରେ ସର୍ବାଧିକ ଆସନ ଜିତିଥିବା ଆର୍‌ଜେଡି ଓ ବିଜେପି ପରସ୍ପର ୫୬ଟି ଆସନରେ ସିଧାସଳଖ ପ୍ରତିଦ୍ବନ୍ଦ୍ବିତା କରିଥିବା ବେଳେ ବିଜେପିକୁ ୩୭ଟି ଓ ଆର୍‌ଜେଡିକୁ ୧୯ଟି ଆସନ ମିଳିଛି। ସେହିପରି କଂଗ୍ରେସ ସହ ଲଢ଼େଇ କରିଥିବା ୩୩ଟି ଆସନରୁ ବିଜେପି ୨୭ଟି ଓ କଂଗ୍ରେସ ମାତ୍ର ୬ଟି ଆସନ ଜିତିଛି। ଦେଶର ଅନ୍ୟାନ୍ୟ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ଉପନିର୍ବାଚନରେ ମଧ୍ୟ ମୋଟ ୫୯ଟି ଆସନରୁ ବିଜେପି ଖାତାରେ ୪୧ଟି ପଡ଼ିଛି। ସେଥିରୁ ସର୍ବାଧିକ ଆସନ କଂଗ୍ରେସ ହାତରୁ ହିଁ ବିଜେପି ଛଡ଼ାଇ ଆଣିଥିବା ଜଣାଯାଇଛି। କେବଳ ମଧ୍ୟପ୍ରଦେଶ ଓ ଗୁଜରାଟରୁ ବିଜେପି କଂଗ୍ରେସର ୨୬ଟି ଆସନକୁ ନିଜ ଅକ୍ତିଆରକୁ ଆଣିଛି। ମଧ୍ୟପ୍ରଦେଶରେ ବିଜେପି ଜିତିଥିବା ୧୯ଟି ଆସନ ମଧ୍ୟରୁ ୧୮ଟି କଂଗ୍ରେସ ହାତରୁ ଖସିଯାଇଛି। ସେହିପରି ଗୁଜରାଟରେ ୮ଟି ଯାକ ଆସନ ବିଜେପି ପୋଛିନେଇଛି। ଅପରପକ୍ଷେ, ଉତ୍ତରପ୍ରଦେଶରେ ଯଦିଓ କଂଗ୍ରେସ ମୁଖ୍ୟ ବିରୋଧୀ ନଥିଲା, ତେବେ ସେଠାରେ ମଧ୍ୟ ବିଜେପି ମୋଟ ୭ଟି ଆସନରୁ ୬ଟିରେ ଜିତିପାରିଛି। ସର୍ବୋପରି ବିଭିନ୍ନ ସ୍ଥାନରେ କଂଗ୍ରେସର ପତିଆରା ଧୂଳିସାତ୍‌ ହେଉଛି ଏବଂ ମୋଦୀଙ୍କ ଲୋକପ୍ରିୟତା ବିଜେପିକୁ ସମୃଦ୍ଧ କରିବାରେ ଲାଗିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର