୩ ରାଜ୍ୟରେ କଂଗ୍ରେସକୁ ଘେରିଲେ ମୋଦୀ

କଂଗ୍ରେସର ଜବାବ: ପ୍ରଧାନମନ୍ତ୍ରୀ ଗାଳି, ଗୁଲଜ ଓ ଡ୍ରାମାରେ ଓସ୍ତାଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ମିରଟ୍‌, ଉତ୍ତରାଖଣ୍ଡର ରୁଦ୍ରପୁର ଏବଂ ଜମ୍ମୁରେ ଅନୁଷ୍ଠିତ ରୢାଲିରେ ନିର୍ବାଚନୀ ମହାସଂଗ୍ରାମର ବିଗୁଲ୍‌ ବଜାଇଛନ୍ତି। ଗୋଟିଏ ଦିନରେ ୩ ମେଗା ରୢାଲିରେ ମୋଦୀ କଂଗ୍ରେସକୁ ଘେରିବା ସହ ବିରୋଧୀ ଦଳଙ୍କ ମହାମେଣ୍ଟକୁ ନେଇ କଡ଼ା ପ୍ରହାର କରିଛନ୍ତି। ଗୋଟିଏ ପଟେ ସେ ମିରଟ୍‌ ରୢାଲିରେ ମହାମେଣ୍ଟର ତୁଳନା ‘ସରାବ୍‌’ ସହିତ କରିଛନ୍ତି। ସମାଜବାଦୀ ପାର୍ଟିର ‘ସ’, ଆରଏଲ୍‌ଡିର ‘ର’ ଏବଂ ବହୁଜନ ସମାଜପାର୍ଟିର ‘ବ’କୁ ନେଇ ଏହି ମେଣ୍ଟକୁ ସରାବ୍‌ ବୋଲି ମୋଦୀ କହିଛନ୍ତି। କଂଗ୍ରେସର ନ୍ୟୁନତମ ଆୟ ଯୋଜନା (ନ୍ୟାୟ) ଏହି ଦଳର ଏକ ନୂଆ ଚାଲ୍‌ ଏବଂ କେବଳ ବିଭ୍ରାନ୍ତି ପାଇଁ ଉଦ୍ଦିଷ୍ଟ ବୋଲି ମୋଦୀ କହିଛନ୍ତି। କଂଗ୍ରେସର ନ୍ୟୁନତନ ଆୟ ଯୋଜନାକୁ ଉପହାସ କରି ମୋଦୀ କହିଛନ୍ତି. ଯେଉଁମାନେ ଆଜି ପର୍ଯ୍ୟନ୍ତ ଗରିବଙ୍କ ବ୍ୟାଙ୍କ ଖାତା ଖୋଲାଇ ନଥିଲେ, ଯେଉଁମାନେ କେବଳ ଗରିବଙ୍କୁ ପ୍ରତାରଣା କରି ରାଜନୈତିକ ସ୍ବାର୍ଥ ହାସଲ କରିଛନ୍ତି ସେମାନେ ଲୋକଙ୍କ କଲ୍ୟାଣ କରିପାରିବେ ନାହିଁ। ଏହାପରେ ରୁଦ୍ରପୁର ରୢାଲିରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ସେନା ଏବଂ ସାମର୍ଥ୍ୟକୁ କଂଗ୍ରେସ ଅପମାନିତ କରିବା ସହ ଦେଶପାଇଁ ସମସ୍ୟା ସୃଷ୍ଟି କରିଚାଲିଛି। ବାଲାକୋଟ ବିମାନ ଆକ୍ରମଣର ପ୍ରମାଣ ମାଗୁଥିବା କଂଗ୍ରେସ ପାକିସ୍ତାନର ଭାଷା କହୁଛି ବୋଲି ମୋଦୀ କହିଥିଲେ। ମିରଟ୍‌ ରୢାଲିରେ ସେ କହିଥିଲେ ଯେ ମୁଁ ଚୌକିଦାର ଏବଂ ଚୌକିଦାର କେବେ ଅନ୍ୟାୟ କରେନାହିଁ। ବିରୋଧୀ ଦଳର କଳଙ୍କିତ ନେତାମାନେ ତାଙ୍କୁ ବଦନାମ କରିବାକୁ ଏବଂ ଡରାଇବାକୁ ଯେଉଁ ଚେଷ୍ଟା କରୁଛନ୍ତି ସେଥିରେ ସେ ପଛକୁ ହଟିବେ ନାହିଁ। ସମସ୍ତଙ୍କର ହିସାବ ନିଆଯିବ ଏବଂ ଜଣ ଜଣ କରି ପର୍ଯ୍ୟାୟକ୍ରମେ ନିଆଯିବ ବୋଲି ମୋଦୀ କହିଥିଲେ। ଦେଶ ବିରୋଧରେ ହେଉଥିବା ପ୍ରତ୍ୟେକଟି ଆକ୍ରମଣର ଜବାବ ଦିଆଯାଉଛି। ଭାରତ ଏବେ ସ୍ଥଳ, ଆକାଶ ଏବଂ ମହାକାଶରେ ସର୍ଜିକାଲ ଷ୍ଟ୍ରାଇକ୍‌ କରି ନିଜ ସାମର୍ଥ୍ୟର ପ୍ରମାଣ ଦେଇଛି ବୋଲି ମୋଦୀ କହିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ଏହାର ଜବାବରେ କହିଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଗରିବଙ୍କୁ ପରିହାସ କରିଥିବାରୁ ଏଥିପାଇଁ ସେ କ୍ଷମା ମାଗିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ମୋଦୀ ଗାଳି,ଗୁଲଜ ଓ ଡ୍ରାମା ଛଡ଼ା ଅନ୍ୟ କିଛି ଜାଣନ୍ତି ନାହିଁ ବୋଲି କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଯେୱାଲା କହିଛନ୍ତି।

ସମ୍ବନ୍ଧିତ ଖବର