ଏବେ ବିଜେପିର ଟାର୍ଗେଟ୍‌, କେରଳ-ତେଲେଙ୍ଗାନା-ଆନ୍ଧ୍ର ପ୍ରଦେଶ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଅମିତ ଶାହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି ଯେ କେରଳ, ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶକୁ ବିଜେପିର ଦୁର୍ଗରେ ପରିଣତ କରିବା ପାଇଁ ପ୍ରୟାସ ଜାରି ରହିଛି ଏବଂ ଲକ୍ଷ୍ୟ ସାଧନ ପାଇଁ ବିଜେପି କର୍ମୀମାନେ ଅହରହ ପ୍ରୟାସ କରୁଛନ୍ତି। ପଶ୍ଚିମବଂଗରେ ବିଜେପି ଲୋକସଭା ନିର୍ବାଚନରେ ସଫଳ ହୋଇଛି ଏବଂ ଆଗାମୀ ବିଧାନସଭା ନିର୍ବାଚନରେ ଦଳକୁ ବିପୁଳ ବିଜୟ ମିଳିବ ବୋଲି ସେ ଆଶା ରଖିଛନ୍ତି। ଏହାପରେ ପରବର୍ତ୍ତୀ ଟାର୍ଗେଟ୍‌ ଭାବେ ତେଲେଙ୍ଗାନାକୁ ନେଇ ଦଳ ଆଗକୁ ବଢ଼ିବ ବୋଲି ସେ କହିଛନ୍ତି । ତେଲେଙ୍ଗାନାରେ ୧୮ ଲକ୍ଷ ନୂଆ ସଦସ୍ୟଙ୍କୁ ସାମିଲ କରିବା ପାଇଁ ଏବେ ବିଜେପି ଯୋଜନା କରିଛି। ଏଥିପାଇଁ ପ୍ରତ୍ୟେକ ବୁଥ୍‌ ସ୍ତରରେ ରଣନୀତି ଆରମ୍ଭ ହୋଇଛି। ବିଜେପି ପ୍ରତି ଲୋକଙ୍କ ଶ୍ରଦ୍ଧା ଓ ବିଶ୍ବାସକୁ ପାଥେୟ କରି ଏହି ଲକ୍ଷ୍ୟ ସାଧନ କରିବାକୁ ସେ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି। ସେହିଭଳି କେରଳ ଓ ଆନ୍ଧ୍ର ପ୍ରଦେଶରେ ମଧ୍ୟ ଦଳକୁ ଶକ୍ତିଶାଳୀ କରିବା ପାଇଁ ଉଭୟ ରାଜ୍ୟର କର୍ମୀମାନଙ୍କୁ ଶାହ ମନ୍ତ୍ର ଦେଇଛନ୍ତି। ତେଲୁଗୁ ଦେଶମ ପାର୍ଟି ଉପରେ ଏବେ ଆନ୍ଧ୍ରର ଜନତା ଆଉ ଭରସା କରୁନାହାନ୍ତି ଏବଂ ବିଜେପି ପ୍ରତି ଲୋକଙ୍କ ସମର୍ଥନ ବଢ଼ିବାରେ ଲାଗିଛି ବୋଲି ଶାହ କହିଛନ୍ତି।

ସମ୍ବନ୍ଧିତ ଖବର