ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ବଡ଼ ଧରଣର ଦୁର୍ନୀତି ପାଇଁ ବିଜେପି ଆଜି ଆପ୍ ସରକାରକୁ ଘେରିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏହି ଦୁର୍ନୀତିର ମୁଖ୍ୟ ସଂଚାଳକ ବୋଲି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସିସୋଦିଆ ଏବଂ ଏହି ଦୁର୍ନୀତିରେ ସଂପୃକ୍ତ ତାଙ୍କର ସହଯୋଗୀମାନେ ୧୦୦ କୋଟି ଟଙ୍କା ଲାଞ୍ଚ ନେଇଛନ୍ତି। ଡିଜିଟାଲ ପ୍ରମାଣ ନଷ୍ଟ କରିବା ପାଇଁ ସେମାନେ ୧୪୦ଟି ମୋବାଇଲ ଫୋନ ନଷ୍ଟ କରିଛନ୍ତି ବୋଲି ସମ୍ବିତ କହିଛନ୍ତି। ଦିଲ୍ଲୀ ଅବକାରୀ ନୀତି ୫ ଜୁଲାଇ, ୨୦୨୧ରେ ସାର୍ବଜନୀନ ହୋଇଥିଲା।
ତେବେ ଏହାର କିଛିମାସ ପୂର୍ବରୁ ଏହି ନୀତି ବାବଦରେ ସବୁକିଛି ସିସୋଦିଆ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ମଦ ମାଫିଆଙ୍କୁ ଜଣାଇ ଦେଇଥିଲେ। ମୁଖ୍ୟ ଅଭିଯୁକ୍ତ ସସୋଦିଆ ଓ ଅନ୍ୟ ୩୪ ଅଭିଯୁକ୍ତ ଏଥିପାଇଁ ୧୪୦ଟି ଫୋନ୍ ନଷ୍ଟ କରିଥିବା ପ୍ରମାଣ ମିଳିଛି । ଡିଜିଟାଲ ପ୍ରମାଣ ନଷ୍ଟ କରିବା ପାଇଁ ସିସୋଦିଆ ଓ ଅନ୍ୟ ଅଭିଯୁକ୍ତମାନେ ୧ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ସମ୍ବିତ ପାତ୍ର କହିଛନ୍ତି। ଆପ୍ ଏବେ ଦେଶର ସବୁଠାରୁ ବଡ଼ ଭ୍ରଷ୍ଟ ରାଜନୈତିକ ଦଳ ପାଲଟିଯାଇଛି ଏବଂ ଏହାର ନେତାମାନେ କେବଳ ବିଭ୍ରାନ୍ତି ସୃଷ୍ଟି କରି ଫାଇଦା ଉଠାଇବା ପ୍ରୟାସରେ ରହୁଛନ୍ତି ବୋଲି ସେ କହିଛନ୍ତି।