ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ଆଗାମୀ ନିର୍ବାଚନ ପାଇଁ ନିଜର ଘୋଷଣାପତ୍ର ଜାରି କରାଯାଇଛି । ଦଳ ଏହି ଇସ୍ତାହାରରେ ଯୁବକ, ମହିଳା, ଶ୍ରମିକ ଓ କୃଷକଙ୍କ ଉପରେ ଗୁରୁତ୍ୱ ଦେଇଛି। ଏହି ସବୁ ବର୍ଗପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରତିଶ୍ରୁତି ଦିଆଯାଇଛି। ତେବେ କଂଗ୍ରେସର ଏହି ଇସ୍ତାହାରକୁ କଡ଼ା ସମାଲୋଚନା କରିଛି ବିଜେପି ।
ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ଇସ୍ତାହାର ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ. ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ କଂଗ୍ରେସର ଇସ୍ତାହାରରେ ଜଳ ପରିଚାଳନା ଅଧ୍ୟାୟରେ ଏକ ଚିତ୍ର ରହିଛି। ଏହି ଚିତ୍ର ଟି ନ୍ୟୁୟର୍କର ବଫେଲୋ ନଦୀର । ସେ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ ଘୋଷଣାପତ୍ରରେ ପରିବେଶ ସଫେଇ ଅଧୀନରେ ଏକ ଫଟୋ ପୋଷ୍ଟ କରାଯାଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ସ୍ଥାନ ରାହୁଲ ଗାନ୍ଧୀଙ୍କ ପ୍ରିୟ ସ୍ଥାନ ଥାଇଲାଣ୍ଡର ଅଟେ । ଏହି ଫଟୋଗୁଡ଼ିକୁ କିଏ ଲଗାଇଛି ତାହା କଂଗ୍ରେସ ଜାଣିବା ଦରକାର। ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ ନିକଟରେ ସୋସିଆଲ ମିଡିଆ ଅଧ୍ୟକ୍ଷା କହିଛନ୍ତି ଯେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ କିଏ ପରିଚାଳନା କରୁଛି ସେ ଜାଣନ୍ତି ନାହିଁ । ଅନ୍ତତଃ ଦଳ ଜାଣିବା ଦରକାର କିଏ ସେମାନଙ୍କ ଇସ୍ତାହାର ପ୍ରସ୍ତୁତ କରୁଛି।