ରାଫେଲ ରାୟ: କଂଗ୍ରେସକୁ ଘେରିଲା ବିଜେପି

ରାହୁଲ ଦେଶବାସୀଙ୍କୁ କ୍ଷମା ମାଗିବାକୁ ଦାବି

ନୂଆଦିଲ୍ଲୀ: ରାଫେଲ ଚୁକ୍ତି ନେଇ ସୁପ୍ରିମ୍‌ କୋର୍ଟ ଦ୍ବାରା ମୋଦୀ ସରକାରଙ୍କୁ ଦ୍ବିତୀୟ ଥର ପାଇଁ କ୍ଲିନ୍‌ଚିଟ୍‌ ମିଳିବା ପରେ ବିଜେପି ଆଜି କଂଗ୍ରେସକୁ ଘେରିଛି। ବିଜେପି ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଦନାମ କରିବା ପାଇଁ କଂଗ୍ରେସ ମିଥ୍ୟା ଦୁର୍ନୀତି ଅଭିଯୋଗ ଆଣିଥିବାରୁ ଏଥିପାଇଁ ଦେଶବାସୀଙ୍କୁ କ୍ଷମା ମାଗିବା ଆବଶ୍ୟକ। ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପ୍ରତିରକ୍ଷା ଠିକା ନେବାରେ ବିଫଳ ହୋଇଥିବା କେତେକ ସଂସ୍ଥା ରାଫେଲ ଚୁକ୍ତି ସଂପାଦନରେ ବିଳମ୍ବ ହେବା ଚାହୁଥିଲେ। କିନ୍ତୁ ସେମାନଙ୍କର କୌଣସି ଷଡ଼ଯନ୍ତ୍ର କାମ ଦେଇନାହିଁ ବୋଲି ରବିଶଙ୍କର କହିଛନ୍ତି। କଂଗ୍ରେସ ଦଳ ରାଫେଲକୁ ନେଇ ବ୍ୟାପକ ଅପପ୍ରଚାର କରିଥିବାରୁ ରାହୁଲ ଗାନ୍ଧୀ ଦେଶବାସୀଙ୍କୁ କ୍ଷମା ମାଗିବା ଜରୁରୀ। ଦେଶର ବାୟୁସେନାକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ଯୋଜନାକୁ ଭଣ୍ଡୁର କରିବା ନିମନ୍ତେ କଂଗ୍ରେସ ଦଳ ଅହରହ ପ୍ରୟାସ କରୁଥିଲା। ରାଫେଲକୁ ନେଇ କଂଗ୍ରେସ ନିର୍ବାଚନ ହାରିଲା ଏବଂ ଆଜି ସୁପ୍ରିମ୍‌ କୋର୍ଟରେ ମଧ୍ୟ ଦ୍ବିତୀୟ ଥର ପାଇଁ ପରାଜିତ ହେଲା ବୋଲି ରବିଶଙ୍କର କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତି ସଂପୂର୍ଣ୍ଣ ପାରଦର୍ଶିତାର ସହ ସଂପାଦନ ହୋଇଛି ଏବଂ କଂଗ୍ରେସ ଦେଶର ସୁରକ୍ଷାକୁ ନେଇ ହୀନ ରାଜନୀତି କରିଥିବାରୁ ଏହି ଦଳ ଏବେ ପଦାରେ ପଡ଼ିଯାଇଛି। କଂଗ୍ରେସକୁ ଦେଶବାସୀ କଦାପି କ୍ଷମା କରିବେ ନାହିଁ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଦୁର୍ନୀତି ଅଭିଯୋଗ ଅଣାଯାଇଥିଲା

ଘଟଣାକ୍ରମ
୨୦୦୭: ଉପା ସରକାରଙ୍କ ଦ୍ବାରା ୧୨୬ଟି ଯୁଦ୍ଧ ବିମାନ କ୍ରୟ ପାଇଁ ଟେଣ୍ଡର ଜାରି।
୨୦୧୧: ଭାରତୀୟ ବାୟୁସେନା ଦ୍ବାରା ରାଫେଲ୍‌ ଏବଂ ୟୁରୋଫାଇଟର ଜେଟ୍‌କୁ ସର୍ଟଲି‌ଷ୍ଟ କରାଯାଇଥିଲା।
୨୦୧୨: ଫ୍ରାନ୍ସ କମ୍ପାନି ଡାସଲ୍ଟ ଏଭିଏସନ୍‌ ରାଫେଲ୍‌ ପାଇଁ ସବୁଠୁ କମ୍‌ ମୂଲ୍ୟରେ ଟେଣ୍ଡର ପକାଇଥିଲା।
୨୦୧୪: ବିମାନ କ୍ରୟ ପାଇଁ ହାଲ୍‌ ଏବଂ ଡାସଲ୍ଟ ମଧ୍ୟରେ ବୁଝାମଣା ଆରମ୍ଭ ହୋଇଥିଲା କିନ୍ତୁ ଚୁକ୍ତି ଚୂଡ଼ାନ୍ତ ହୋଇପାରି ନଥିଲା।
ଏପ୍ରିଲ ୨୦୧୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ୟା‌ରିସ୍‌ ଗସ୍ତ କରିବା ସହ ୩୬ଟି ରାଫେଲ୍‌ ଯୁଦ୍ଧ ବିମାନ କ୍ରୟ ପାଇଁ ଘୋଷଣା କଲେ।
ଜୁନ୍‌ ୨୦୧୫: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ବାରା ସରକାରୀ ଭାବେ ୧୨୬ ଯୁଦ୍ଧବିମାନ ଚୁକ୍ତି ଟେଣ୍ଡର ପ୍ରତ୍ୟାହାର ହେଲା।
ଜାନୁଆରି ୨୦୧୬: ସାଧାରଣତନ୍ତ୍ର ଦିବସରେ ଫ୍ରାନ୍ସ ରାଷ୍ଟ୍ରପତି ଫ୍ରାନ୍‌ସୁଆ ଓଲାନ୍ଦଙ୍କ ଭାରତ ଗସ୍ତ। ରାଫେଲ୍‌ ଯୁଦ୍ଧ ବିମାନ କ୍ରୟ ପାଇଁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ରାଜିନାମା ସ୍ବାକ୍ଷର ।
୨୦୧୭: ରାଫେଲ୍‌ ଯୁଦ୍ଧ ବିମାନ କ୍ରୟ ପାଇଁ ପୂର୍ବତନ ଉପା ସରକାରଙ୍କ ଦ୍ବାରା ହୋଇଥିବା ବୁଝାମଣା ଅପେକ୍ଷା ବର୍ତ୍ତମାନର ମୂଲ୍ୟ ମାତ୍ରାଧିକ ବୋଲି ବିରୋଧୀ ଦଳ ଦ୍ବାରା ଦାବି।
ମାର୍ଚ୍ଚ ୨୦୧୮: ଫ୍ରାନ୍ସରୁ ୩୬ ର‌ାଫେଲ୍‌ ଯୁଦ୍ଧ ବିମାନ କ୍ରୟ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିର ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ପିଆଇଏଲ୍‌ ଦାଖଲ।
ଡିସେମ୍ବର ୧୪, ୨୦୧୮: ରାଫେଲ୍‌ ଚୁକ୍ତି କ୍ରୟରେ କୌଣସି ଅନିୟମିତତା ଥିବା ସୁପ୍ରିମକୋର୍ଟ ପାଇନଥିଲେ। କୋର୍ଟ ତତ୍ତ୍ବା‌ବଧାନରେ ତଦନ୍ତ ନେଇ ସମସ୍ତ ପିଟିସନ୍‌ ସୁପ୍ରିମକୋର୍ଟରେ ଖାରଜ।
ଜାନୁଆରି ୨, ୨୦୧୯: ରାଫେଲ୍‌ ରାୟର ପୁନଃ ସମୀକ୍ଷା ପାଇଁ ପୂର୍ବ କେନ୍ଦ୍ର ମନ୍ତ୍ରୀ ଯଶୋବନ୍ତ ସିହ୍ନା, ଅରୁଣ ସୌରି, ଆଇନଜୀବୀ ପ୍ରଶାନ୍ତ ଭୁଷଣ ପିଟିସନ୍‌ ଦାଖଲ କରିଥିଲେ।
ମେ’ ୨୦୧୯: ସମସ୍ତ ରିଭ୍ୟୁ ପିଟିସନ୍‌ ଉପରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ ।
ନଭେମ୍ବର ୧୪, ୨୦୧୯: ରାଫେଲ୍‌ ରିଭ୍ୟୁ ପିଟିସନ୍‌କୁ ଖାରଜ କଲେ ସୁପ୍ରିମ କୋର୍ଟ।

ସମ୍ବନ୍ଧିତ ଖବର