ନୂଆଦିଲ୍ଲୀ : ଗତ କିଛି ବର୍ଷ ହେଲା କଂଗ୍ରେସ ନେତା ମଣିଶଙ୍କର ଆୟର ଯେତେବେଳେ ମୁହଁ ଖୋଲୁଛନ୍ତି ତାହାକୁ ନେଇ ବିବାଦ ସୃଷ୍ଟି ହେଉଛି । ଗତକାଲି ତାଙ୍କ ଆତ୍ମଜୀବନୀ ମେମୋଏର୍ସ ଅଫ ମାଭେରିକ୍- ଦି ଫାଷ୍ଟ ଫିଫଟି ଇୟର୍ସ (୧୯୪୧-୧୯୯୧) ଉନ୍ମୋଚନ ଅବସରରେ ସେ କହିଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହରାଓ ଦେଶର ପ୍ରଥମ ବିଜେପି ପ୍ରଧାନମନ୍ତ୍ରୀ ଥିଲେ । କାରଣ ସେ ହିନ୍ଦୁବାଦୀ ଥିଲେ । ତାଙ୍କର ଏହି ବୟାନ ପରେ ବିଜେପି ତାଙ୍କୁ ଟାର୍ଗେଟ୍ କରିଛି ।
ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ ଯେତେବେଳେ ବି ନିର୍ବାଚନ ଆସେ, ନିର୍ବାଚନର ଠିକ୍ ପୂର୍ବରୁ ଗାନ୍ଧୀ ପରିବାର ନିଜ ବଶମ୍ବଦ ମଣିଶଙ୍କର ଆୟାରଙ୍କ ଜରିଆରେ କିଛି ବୟାନ ଦିଅନ୍ତି। ଆୟାର ଯାହା କହୁଛନ୍ତି ଓ ଲେଖୁଛନ୍ତି ତାହା କେବଳ ଗାନ୍ଧୀ ପରିବାରର ସ୍ୱର।
ପିଭି ନରସିଂହ ରାଓଙ୍କୁ କଂଗ୍ରେସ ପରିବର୍ତ୍ତେ ବିଜେପିର ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି କହୁଥିବାରୁ ସମ୍ବିତ କଂଗ୍ରେସ ନେତାଙ୍କୁ ସମାଲୋଚନା କରିଛନ୍ତି। ବିଜେପି ନେତା କହିଛନ୍ତି ଯେ ରାଓଙ୍କ ପାଇଁ ଯେଉଁ ଭଳି ଶବ୍ଦ ବ୍ୟବହୃତ ହୋଇଛି ତାହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଗାନ୍ଧୀ ପରିବାର ର ମୁଖପାତ୍ର ଗାନ୍ଧୀ ପରିବାର ବ୍ୟତୀତ ଅନ୍ୟ କେହି ପ୍ରଧାନମନ୍ତ୍ରୀ ହେବା କୁ ବରଦାସ୍ତ କରନ୍ତି ନାହିଁ, ଯଦିଓ ସେହି ବ୍ୟକ୍ତି ଜଣକ କଂଗ୍ରେସ ଦଳର ଅଟନ୍ତି ।