ଦେଶକୁ କୁହ କେଉଁ ମାମଲାରେ ଜାମିନ ପାଇଛ? ରାହୁଲଙ୍କୁ ବିଜେପିର ପ୍ରଶ୍ନ

ନୂଆଦିଲ୍ଲୀ : ଦରଦାମ ବୃଦ୍ଧି ଓ ମୁଦ୍ରାସ୍ପୀତିକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ତାଙ୍କୁ କଡ଼ା ଜବାବ ଦେଇଛି ବିଜେପି । ବିଜେପି ପକ୍ଷରୁ କୁହାଯାଇଛି ଯେ, ରାହୁଲ ଯଦି ସବୁବେଳେ ସତ କହୁଛନ୍ତି, ତେବେ ସେ କହନ୍ତୁ ସେ କାହିଁକି ଜାମିନରେ ଅଛନ୍ତି ? ବିଜେପି ପକ୍ଷରୁ କୁହାଯାଇଛି ଯେ, ଦରଦାମ ବୃଦ୍ଧି ଏକ ବାହାନା, ପ୍ରକୃତରେ ଗାନ୍ଧି ପରିବାର ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛି ।

ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ରାହୁଲ ଗାନ୍ଧି ସବୁବେଳେ ଦାବି କରନ୍ତି ଯେ ସର୍ବଦା ସତ କହନ୍ତି, ତେବେ ସେ ଦେଶବାସୀଙ୍କୁ କହନ୍ତୁ, ସେ କାହିଁକି ଜାମିନରେ ଅଛନ୍ତି ।

ରବିଶଙ୍କର ପ୍ରସାଦ ଆହୁରି ମଧ୍ୟ କହିଛନ୍ତି ଯେ, ନ୍ୟାସନାଲ ହେରାଲଡ ମାମଲାକୁ ଖାରଜ କରିବାକୁ ସୋନିଆ ଓ ରାହୁଲ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଯାଇଥିଲେ । କିନ୍ତୁ ବିଫଳ ହୋଇ ଶେଷରେ ଜାମିନ ପାଇଁ ଆବେଦନକରି ପାଇଛନ୍ତି ।

ଆଜି ରାହୁଲ ଗାନ୍ଧି କହିଥିଲେ ଯେ ଭାରତ ଏବେ ଏକ ଏକଛତ୍ରବାଦ ଶାସନ ଅଧୀନରେ ଚାଲିଛି । ଦେଶର ସବୁ ଅନୁଷ୍ଠାନକୁ ଆରଏସଏସ ନିୟନ୍ତ୍ରଣ କରୁଛି । ଲୋକଙ୍କ ସମସ୍ୟା ସମ୍ପର୍କିତ କୌଣସି ପ୍ରସଙ୍ଗ ସଂକ୍ରାନ୍ତରେ ଆଲୋଚନା କରିବାକୁ ସରକାର ଚାହୁଁନାହାନ୍ତି ।

ଏହାର ଜବାବରେ ବିଜେପି କହିଛି, ସରକାର ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ରାଜି ଅଛନ୍ତି ।

ସମ୍ବନ୍ଧିତ ଖବର