୨୦ ଲକ୍ଷ ଲୋକଙ୍କୁ ପକ୍କା ଘର ଯୋଗ୍ୟତା କାର୍ଡ ବାଣ୍ଟିବା ପ୍ରସଙ୍ଗ : ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଗ୍ୟ କରିବାକୁ ଷଡ଼୍‌ଯନ୍ତ୍ର: ବିଜେପି

ଦିଲ୍ଲୀରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଭେଟିଲେ ବିଜେପି ପ୍ରତିନିଧି

ନୂଆଦିଲ୍ଲୀ/ଭୁବନେଶ୍ବର : ରାଜ୍ୟ ସରକାର ୨୦ ଲକ୍ଷ ଲୋକଙ୍କୁ ପକ୍କା ଘର ଯୋଗ୍ୟତା କାର୍ଡ ବଣ୍ଟନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ କରିଛନ୍ତି। ଏହାକୁ ତୀବ୍ର ସମାଲୋଚନା କରିଛି ବିଜେପି। ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଗ୍ୟ କରିବା ପାଇଁ ଏହା ବିଜେଡିର ଏକ ଷଡ଼ଯନ୍ତ୍ର ବୋଲି ଦଳ ଅଭିଯୋଗ କରିଛି। ବିଜେପିର କିଛି ସାଂସଦ, ବିଧାୟକ ନୂଆଦିଲ୍ଲୀରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଭେଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହେଉଥିବା ନେଇ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଆଜି ବିଜେପି ରାଜ୍ୟ କାର୍ଯ୍ୟା‌ଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ‌େର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଲେ, ରାଜ୍ୟ ସରକାର ଅକ୍ଟୋବର ୧୦ ତାରିଖରେ ପ୍ରଥମ ତାଲିକା ପ୍ରକାଶ କରିଥିଲେ, ଯେଉଁଥିରେ କି ୧୨ ଲକ୍ଷ ୭୫ ହଜାର ପକ୍କା ଘର ହିତାଧିକାରୀଙ୍କ ତାଲିକା ଥିଲା। ଏହି ତାଲିକାରେ ଅନେକ ଅଯୋଗ୍ୟ ହିତାଧିକାରୀ ଥିଲେ ଓ ବହୁ ଯୋଗ୍ୟ ହିତାଧିକାରୀଙ୍କୁ ଏହି ତାଲିକାରୁ ବଞ୍ଚିତ କରାଯାଇଥିଲା। ବିଜେପି ଏହା ବିରୋଧରେ ଆନ୍ଦୋଳନ କଲା ପରେ ସରକାର ଚେତିଲେ। ସରକାର ଏକ ସର୍କୁଲାର୍‌ ପ୍ରକାଶ କରି ୨୦୧୯ ନଭେମ୍ବର ୩୦ ସୁଦ୍ଧା ହିତାଧିକାରୀ ତାଲିକା ଯାଞ୍ଚ୍ ସାରିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଲେ। ଏହି ତାଲିକାରୁ ବହୁ ଅଯୋଗ୍ୟ ହିତାଧିକାରୀଙ୍କ ନାଁ କଟିଲା। ସଂଶୋଧିତ ତାଲିକାକୁ ସାର୍ବଜନୀନ କରିବା ପାଇଁ ବିଜେପି ଦାବି କରିବା କାରଣରୁ ପଞ୍ଚାୟତ ଅଫିସ୍‌, ବ୍ଲକ୍ ଅଫିସ୍‌, ସ୍ବାସ୍ଥ୍ୟ ଅଫିସ୍‌ ଓ ଅଙ୍ଗନବାଡ଼ି କାନ୍ଥରେ ନୋଟିସ୍‌ ମାରିବା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ କେବଳ ପଞ୍ଚାୟତ କାନ୍ଥରେ ନୋଟିସ୍‌ ମରାଗଲା। ଠିକ୍ ହିତାଧିକାରୀ ତାଲିକାକୁ ରାଜ୍ୟ ସରକାର ସାର୍ବଜନୀନ କରିପାରିଲେ ନାହିଁ। ଆଜି ସରକାର ଘୋଷଣା କଲେ ଯେ ଲୋକଙ୍କୁ ୨୫ ଲକ୍ଷ ଘର ବଣ୍ଟାଯାଇଛି ଓ ୨୦ ଲକ୍ଷ ଲୋକଙ୍କୁ ପକ୍କା ଘର ଯୋଗ୍ୟତା କାର୍ଡ ବାଣ୍ଟିବେ। କିନ୍ତୁ ଏହି ତଥ୍ୟ ସମ୍ପୂର୍ଣ୍ଣ ଭୁଲ୍‌। ୨୧ ଲକ୍ଷ ପକ୍କା ଘର କେବଳ କେନ୍ଦ୍ରୀୟ ଯୋଜନାରେ ହୋଇଛି। ଯୋଗ୍ୟ ହିତାଧିକାରୀ ଚିହ୍ନଟ କରି ସେମାନଙ୍କୁ ଘର ଯୋଗାଇବା ରାଜ୍ୟ ସରକାରଙ୍କ କାମ। କିନ୍ତୁ ବିଜେଡି କିପରି ପକ୍କା ଘର ଯୋଗ୍ୟତା କାର୍ଡ ବାଣ୍ଟି ପାରିବ ? ଆହୁରି ମଧ୍ୟ ରାଜ୍ୟ ସରକାର ହିତାଧିକାରୀ ତାଲିକା ପାଇଲେ କେଉଁଠୁ ? ଶାସକ ବିଜେଡି ଚଞ୍ଚକତା କରି ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ କରି ଆଜି ପକ୍କା ଘର ଯୋଗ୍ୟତା କାର୍ଡ ବଣ୍ଟନ କରିଛନ୍ତି। ଠିକ୍ ହିତାଧିକାରୀ ଚୟନ କରି ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦେବା କଥା। କିନ୍ତୁ ସରକାର ତାହା କରି ନାହାନ୍ତି। ଯୋଗ୍ୟତା କାର୍ଡ ବାଣ୍ଟିବା ପୂର୍ବରୁ ପ୍ରଥମେ ତାଲିକା ପ୍ରକାଶ କରିବାକୁ ବିଜେପି ଦାବି କରିଛି। ସାମ୍ବାଦିକ ସମ୍ମିଳନୀ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଓ ଶାରଦା ପ୍ରଧାନ ଉପସ୍ଥିତ ଥି‌େଲ।

ଅପର ପକ୍ଷରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଶାସକ ଦଳର ପ୍ରରୋଚନାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ବିଜେପିର ଏକ ପ୍ରତିନିଧି ଦଳ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଭେଟିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି, ୨୦୨୨ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଶର ସମସ୍ତ କଚ୍ଚା ଘରକୁ ପକ୍କା କରାଯିବ। ସେହି ଅନୁଯାୟୀ ବ୍ୟୟବରାଦ ହେଉଛି। କିନ୍ତୁ ଓଡ଼ିଶାରେ ଏହି ଯୋଜନାରେ ବ୍ୟାପକ ଅନିୟମିତତା ହେଉଛି। ବହୁ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବଞ୍ଚିତ କରାଯାଇଛି। ଏପରିକି ଫନି ବାତ୍ୟା ପର ଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିବା ପାଇଁ ସକ୍ଷମ ହେଲେ ନାହିଁ। ଅନ୍ୟ ରାଜ୍ୟରେ ପିଏମ୍‌ଏୱାଇରେ ଘର ନିର୍ମାଣ କରି କେନ୍ଦ୍ର ସରକାରଙ୍କୁ ବିନିଯୋଗ ପ୍ରମାଣପତ୍ର ଦିଆସାରିଥିଲା ବେଳେ ଓଡ଼ିଶା ସରକାର ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ଅନିୟମିତତା କରି ଗରିବ ଓଡ଼ିଆଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଗାଇଡ୍‌ ଲାଇନ୍ ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ କେନ୍ଦ୍ରୀୟ ପ୍ରତିନିଧି ଦଳ ପଠାଇ ତଦନ୍ତ କରିବାକୁ ବିଜେପି ପ୍ରତିନିଧିମାନେ ଦାବି କରିଥିଲେ। ଏହି ପ୍ରତିନିଧି ଦଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଉପନେତା ବିଷ୍ଣୁ ଚରଣ ସେଠୀ, ମୁଖ୍ୟ ସ‌େଚତକ ମୋହନ ଚରଣ ମାଝୀ, ସାଂସଦ ସଙ୍ଗୀତା ସିଂହଦେଓ, ବିଶ୍ବେଶ୍ବର ଟୁଡ଼ୁ, ଅପରାଜିତା ଷଡ଼ଙ୍ଗୀ, ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ନିତେଶ ଗଙ୍ଗଦେବ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ ଓ କାର୍ଯ୍ୟକାରିଣୀ ସଦସ୍ୟ ଅମର ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର