ଉତ୍ତର ପ୍ରଦେଶରେ ବିଜେପିର ନିର୍ବାଚନ ପ୍ରସ୍ତୁତି, ଆୟୋଜନ କରିବ ଜନ ଆଶୀର୍ବାଦ ଯାତ୍ରା

ନୂଆଦିଲ୍ଲୀ :  ଆଗକୁ ଉତ୍ତର ପ୍ରଦେଶ ନିର୍ବାଚନ ଥିବାରୁ ବିଜେପି ପକ୍ଷରୁ ଏକ ସ୍ବତନ୍ତ୍ର ଶୈଳୀରେ ଲୋକମାନଙ୍କ ନିକଟବର୍ତ୍ତୀ ହେବାକୁ ଯୋଜନା କରାଯାଉଛି । ଏହି ଯୋଜନା ଅନୁସାରେ ନିକଟରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ଉତ୍ତରପ୍ରଦେଶର ୭ ସାଂସଦଙ୍କୁ ନେଇ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ‘ଜନ ଆଶୀର୍ବାଦ ଯାତ୍ରା’ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ପ୍ରତ୍ୟେକ ମନ୍ତ୍ରୀଙ୍କୁ ୩ରୁ ୪ଟି ନିର୍ବାଚନ ମଣ୍ଡଳୀ ଓ ୪ରୁ ୫ଟି ଜିଲ୍ଲାରେ ଏହି ‘ଜନ ଆଶୀର୍ବାଦ ଯାତ୍ରା’ ଆୟୋଜନ କରିବାକୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପକ୍ଷରୁ ପତ୍ର ଲେଖି ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ନିକଟରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ଉତ୍ତରପ୍ରଦେଶର ୭ ସାଂସଦଙ୍କ ମଧ୍ୟରୁ ୬ ଜଣ  ବିଜେପି ଦଳର ହୋଇଥିବାବେଳେ ଜଣେ ହେଉଛନ୍ତି ଅପନା ପାର୍ଟିର ଅନୁପ୍ରିୟା ପଟେଲ ।

ସେହିପରି ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ୩୬ ସାଂସଦମାନଙ୍କୁ ମଧ୍ୟ ନିଜ ନିଜ ରାଜ୍ୟରେ ଜନ ବିଶ୍ବାସ ଯାତ୍ରା ଆୟୋଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଗଷ୍ଚ ୧୫ ରେ ଏସବୁ ଯାତ୍ରା ଆରମ୍ଭ ହେବ । ତେବେ ସଂପୂର୍ଣ୍ଣ କୋଭିଡ୍ କଟକଣା ପାଳନ ସହ ଏସବୁ ଯାତ୍ରା ଆୟୋଜନ କରିବାକୁ କୁହାଯାଇଛି ।

ସମ୍ବନ୍ଧିତ ଖବର