ମଧ୍ୟପ୍ରଦେଶ ଉପନିର୍ବାଚନ ଏକଜିଟ୍ ପୋଲ : ୧୬-୧୮ଟି ଆସନ ସହ ସରକାର ବଞ୍ଚାଇବାକୁ ସକ୍ଷମ ହେବ ବିଜେପି

ନୂଆଦିଲ୍ଲୀ : ବିହାର ନିର୍ବାଚନ ପାଇଁ ଏକଜିଟ ପୋଲ ସହ ଆଉ ଏକ ରାଜ୍ୟ ଉପରେ ସମସ୍ତଙ୍କ ନଜର ରହିଛି । ତାହା ହେଉଛି ମଧ୍ୟପ୍ରଦେଶ । ଏହି ରାଜ୍ୟରେ ୨୮ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ଉପନିର୍ବାଚନର ଫଳାଫଳ ଉପରେ ରାଜ୍ୟରେ ଶାସନ କ୍ଷମତାରେ ଥିବା ଶିବରାଜ ସିଂ ଚୌହାନ ସରକାରର ଭାଗ୍ୟ ନିର୍ଦ୍ଧାରଣ ହେବ ।

ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ଏକଜିଟ୍ ପୋଲ ଅନୁସାରେ ଉପନିର୍ବାଚନ ହୋଇଥିବା ୨୮ଟି ଆସନ ମଧ୍ୟରୁ ବିଜେପି ୧୬ରୁ ୧୮ଟି ଆସନ ଜିତିପାରେ । ସେହିପରି କଂଗ୍ରେସ ୧୦ରୁ ୧୨ଟି ଆସନ ଜିତିବାର ସମ୍ଭାବନା ରହିଛି ।

ମଧ୍ୟପ୍ରଦେଶରେ  ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ବରେ ୨୫ ଜଣ କଂଗ୍ରେସ ବିଧାୟକ ଦଳ ଛାଡିବା ପରେ ରାଜ୍ୟରେ ଥିବା କମଳନାଥ ସରକାରର ପତନ ହୋଇଥିଲା । ସେହିପରି ଆଉ ୩ ଜଣ ବିଧାୟକଙ୍କ ମୃତ୍ୟୁପରେ ରାଜ୍ୟ ବିଧାନସଭାରେ ମୋଟ ୨୮ଟି ଆସନ ଖାଲି ପଡ଼ିଛି । ୨୦୧୮ ନିର୍ବାଚନରେ ଏହି ୨୮ଟି ଆସନ ମଧ୍ୟରୁ କଂଗ୍ରେସ ୨୭ଟି ଆସନ ଜିତିଥିଲା ।

୨୩୦ ସଦସ୍ୟ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ବିଜେପିର ଏବେ ୧୦୭ ଜଣ ବିଧାୟକ ଅଛନ୍ତି  । ଉପ-ନିର୍ବାଚନ ପରେ ସରକାର ବଞ୍ଚାଇବାକୁ  ବିଜେପିକୁ ଆଉ ୯ ଜଣ ବିଧାୟକଙ୍କ ସମର୍ଥନ ଦରକାର । ଅନ୍ୟପକ୍ଷରେ କଂଗ୍ରେସର ଏବେ ୮୮ ଜଣ ବିଧାୟକ ଥିବାବେଳେ ସରକାର ଗଢିବାକୁ ସମସ୍ତ ୨୮ଟି ଆସନରେ ଜିତିବାକୁ ହେବ ।

ସମ୍ବନ୍ଧିତ ଖବର