ଏକଜିଟ୍ ପୋଲ : ଗୁଜରାଟରେ ବିଜେପିକୁ ମିଳିବ ବିପୁଳ ବିଜୟ, ଖାତା ଖୋଲିବ ଆପ୍

ନୂଆଦିଲ୍ଲୀ : ଗୁଜରାଟରେ ସବୁ ସରକାର ବିରୋଧୀ ହାଓ୍ବାକୁ ଭୁଲ ପ୍ରମାଣିତ କରି ବିଜେପି ପୁଣି ପାଇଁ ସରକାର ଗଢିବାର ସଂକେତ ଦେଉଛି ଏକଜିଟ ପୋଲ୍ । ବିଜେପି ୧୯୯୫ରୁ ଗୁଜରାଟରେ ସରକାରରେ ଥିବାବେଳେ ଲୋକମାନେ ଏବେ ବି ଏହି ଦଳ ଉପରେ ସନ୍ତୁଷ୍ଟ ଥିବା ସଂକେତ ମିଳୁଛି । ଯଦି ଏକଜିଟ ପୋଲ ପୂର୍ବାନୁମାନ ସତ ପ୍ରମାଣିତ ହୁଏ, ତେବେ ବିଜେପି ନିଜ ଦୁର୍ଗକୁ ଆହୁରି ଅଭେଦ୍ୟ କରିବାରେ ସଫଳ ହେବ ।

ଆଜି ବିଭିନ୍ନ ସଂସ୍ଥାମାନଙ୍କ ପକ୍ଷରୁ ପ୍ରକାଶିତ ଏକଜିଟ ପୋଲ ଅନୁସାରେ ବିଜେପି ପୂର୍ଣ୍ଣ ବହୁମତ ହାସଲ କରିବ, କଂଗ୍ରେସ ୨ୟ ସ୍ଥାନରେ ରହିବ ଓ ଆପ ଗୁଜରାଟରେ ଖାତା ଖୋଲିବ । ସବୁ ଏକଜିଟ ପୋଲର ହାରାହାରି ହିସାବ କଲେ ବିଜେପିକୁ ୧୩୧ଟି ଆସନ ମିଳିବାର ସମ୍ଭାବନା ଥିବାବେଳେ କଂଗ୍ରେସକୁ ୪୧ଟି ଓ ଆପକୁ ୭ଟି ଆସନ ମିଳିବାର ସମ୍ଭାବନା ରହିଛି । ଏପରି ହେଲେ ବିଜେପି ୨୦୦୨ର ( ୧୨୭ଟି ଆସନ) ସଫଳତାକୁ ଟପିବାର ସମ୍ଭାବନା ରହିଛି ।

ନ୍ୟୁଜ୍ ଏକ୍ସର ପୂର୍ବାନୁମାନ ଅନୁସାରେ ଗୁଜରାଟରେ ବିଜେପିକୁ ୧୧୭ରୁ ୧୪୦ଟି ଆସନ ମିଳିବାର ସମ୍ଭାବନା ରହିଥିବାବେଳେ କଂଗ୍ରେସକୁ ୩୪ରୁ ୫୧ଟି ଓ ଆପକୁ ୬-୧୩ଟି ଆସନ ମିଳିବାର ସମ୍ଭାବନା ରହିଛି ।

ଟିଭି-୯ର ପୂର୍ବାନୁମାନ ଅନୁସାରେ ବିଜେପିକୁ ୧୨୫ରୁ ୧୩୦ଟି ଆସନ ମିଳିବାର ସମ୍ଭାବନା ରହିଥିବାବେଳେ କଂଗ୍ରେସକୁ ୪୦ରୁ ୫୦ଟି ଓ ଆପକୁ ୪ଟି ଆସନ ମିଳିବାର ସମ୍ଭାବନା ରହିଛି ।

ଆଜତକ୍-ଆକ୍ସିସ ମାଇ ଇଣ୍ଡିଆର ପୂର୍ବାନୁମାନ ଅନୁସାରେ ବିଜେପି ୧୨୯-୧୫୧, କଂଗ୍ରେସକୁ ୧୬-୩୦ ଓ ଆପକୁ ୯-୨୧ଟି ଆସନ ମିଳିବ ।

ତେବେ ଗୁଜରାଟ ନିର୍ବାଚନରେ ଏକ ନୂଆ ଟ୍ରେଣ୍ଡ୍ ଦେଖିବାକୁ ମିଳିପାରେ । ତାହା ହେଉଛି ଆପ ଖାତା ଖୋଲିବ । କେତେକ ରିପୋର୍ଟ ଅନୁସାରେ ମୁସଲିମ ଭୋଟ କଂଗ୍ରେସରୁ ଆପକୁ ଯିବା ଆରମ୍ଭ ହୋଇଛି । ଏପରି ହୋଇଥିଲେ ତାହା କଂଗ୍ରେସ ପାଇଁ ଚିନ୍ତାର କାରଣ ହେବ ।

ସମ୍ବନ୍ଧିତ ଖବର