ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହୋଇଛି। ଏଠାରେ କଂଗ୍ରେସଠାରୁ ବିଜେପି ଶାସନ କ୍ଷମତା ଛଡ଼ାଇ ନେଇଛି। ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ୧୯୯ଟି ଆସନ ପାଇଁ ନିର୍ବାଚନ ହୋଇଥିଲା। ଗୋଟିଏ ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ସେଠାରେ ନିର୍ବାଚନ ସ୍ଥଗିତ ରଖାଯାଇଛି। ୧୯୯ଟି ଆସନ ମଧ୍ୟରୁ ବିଜେପି ୧୧୫ଟି ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ୭୦ଟି ଆସନରେ ସୀମିତ ରହିଯାଇଛି। ଅନ୍ୟମାନେ ୧୫ଟି ଆସନରେ ବିଜୟୀ ହୋଇଛନ୍ତି। ନିର୍ବାଚନରେ ପରାଜୟ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ରାଜ୍ୟପାଳଙ୍କୁ ରାଜଭବନରେ ଭେଟି ସେ ଏହି ଇସ୍ତଫାପତ୍ର ଦେଇଥିବାବେଳେ ରାଜ୍ୟପାଳ ତାହା ଗ୍ରହଣ କରିନେଇଛନ୍ତି। ରାଜ୍ୟରେ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ଦାୟିତ୍ବ ସମ୍ଭାଳିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ କହିଛନ୍ତି।
ରାଜସ୍ଥାନରେ କଂଗ୍ରେସ ପରାଜିତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରଦାରପୁର ଆସନରୁ ୨୬୩୯୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ୯୬୮୫୯ ଭୋଟ ପାଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ବିଜେପିର ମହେନ୍ଦ୍ର ରାଠୋର ୭୦୪୬୩ ଭୋଟ ପାଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ବସୁନ୍ଧରା ରାଜେ ତାଙ୍କ ପାରମ୍ପରିକ ଆସନ ଝଲରାପାଟନରୁ ୫୩,୧୯୩ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ରାଜସ୍ଥାନର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ରାଜେ କଂଗ୍ରେସ ପ୍ରାର୍ଥୀ ରାମଲାଲଙ୍କୁ ପରାଜିତ କରିଛନ୍ତି। ୨୦୦୩ରୁ ୨୦୦୮ ଏବଂ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ଦୁଇଥର ସେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହୋଇଥିଲେ। ରାଜ୍ୟରେ ବିଜେପିର ବିଜୟ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଦିଆଯାଇଥିବା ମନ୍ତ୍ର ସବ୍କା ସାଥ, ସବକା ବିକାଶ ଓ ସବକା ପ୍ରୟାସକୁ ଶ୍ରେୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟି, ଅମିତ ଶାହଙ୍କ ରଣନୀତି ଏବଂ ଜେପି ନଡ୍ଡାଙ୍କ ଦକ୍ଷ ନେତୃତ୍ବ ବିଜୟର ଅନ୍ୟତମ କାରଣ ବୋଲି ସେ କହିଛନ୍ତି। ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସଚିନ ପାଇଲଟ ଟୋଙ୍କ ଆସନରୁ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଅଜିତ ସିଂହ ମେହଟ୍ଟାଙ୍କୁ ୨୯୪୭୫ ଭୋଟ ବ୍ୟବଧାନରେ ହରାଇଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଜୟପୁର ଗ୍ରାମୀଣ ସାଂସଦ ତଥା ବିଜେପି ପ୍ରାର୍ଥୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଝୋଟୱାଡ଼ା ବିଧାନସଭା ଆସନରୁ ୫୦୧୬୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ରାଠୋର ୧ ଲକ୍ଷ ୪୭ ହଜାର ୯୧୩ ଖଣ୍ଡ ଭୋଟ ପାଇ କଂଗ୍ରେସର ଅଭିଷେକ ଚୌଧାରୀଙ୍କୁ ପରାଜିତ କରିଛନ୍ତି।