ମହାରାଷ୍ଟ୍ରରେ ସରକାର ଗଠନ ‘ବିଜେପି ଘୋଡ଼ା ବେପାର ପ୍ରୟାସ କରୁଛି’

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନା-ଏନ୍‌ସିପି-କଂଗ୍ରେସ ତତ୍ପରତାର ସହ ଆଗକୁ ବଢ଼ୁଥିବା ବେଳେ ବିଜେପି ମଧ୍ୟ ସରକାର ଗଠନ ପାଇଁ ଦାବି କରିବ ବୋଲି ଘୋଷଣା କରିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଆଜି ଶିବସେନା ମୁଖପତ୍ର ‘ସାମନା’ରେ କୁହାଯାଇଛି ଯେ ବିଜେପି ପାଖରେ ସରକାର ଗଠନ ପାଇଁ ସଂଖ୍ୟା ନଥିଲେ ମଧ୍ୟ ଏହା ସରକାର ଗଠନ ପାଇ ଯେଭଳି ଦୃଢ଼ୋକ୍ତି ଦେଖାଉଛି ତାହା ପଛରେ ଘୋଡ଼ା ବେପାର ଅଭିପ୍ରାୟ ରହିଛି। ରାଷ୍ଟ୍ରପତି ଶାସନ ଆଳରେ ବିଜେପି ଘୋଡ଼ା ବେପାରକୁ ପ୍ରୋତ୍ସାହନ ଦେବା ପାଇଁ କାମ କରୁଛି ବୋଲି ଶିବସେନା କହିଛି। ଶିବସେନା ନେତୃତ୍ବରେ ମିଳିତ ସରକାର ଗଠନ ପାଇଁ ରାସ୍ତା ଖୋଲିଯାଇ ଥିବାରୁ କିଛି ଲୋକଙ୍କ ପେଟରେ ଏବେ ଯନ୍ତ୍ରଣା ହେଉଛି ବୋଲି ‘ସାମନା’ରେ କୁହାଯାଇଛି ।

ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଯେ ବିଜେପି ହିଁ ରାଜ୍ୟରେ ସରକାର ଗଠନ କରିବ ଏବଂ ଦଳ ପାଖରେ ଏବେ ୧୧୯ ଜଣ ବିଧାୟକଙ୍କ ସମର୍ଥନ ରହିଛି। ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୧୦୫ ଆସନ ହାସଲ କରିଛି ଏବଂ ୧୪ ଜଣ ସ୍ବାଧୀନ ବିଧାୟକ ଏହାକୁ ସମର୍ଥନ କରୁଛନ୍ତି। ସୂଚନାଯୋଗ୍ୟ, କୌଣସି ଦଳ ମଧ୍ୟ ମହାରାଷ୍ଟ୍ରରେ ସରକାର ଗଠନ କରିବା ପାଇଁ ସମର୍ଥ ନହେବାରୁ ଗତ ମଂଗଳବାରଠାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ବିଜେପି ସହ ମେଣ୍ଟ କରି ୫୬ ଆସନ ହାସଲ କରିଥିବା ଶିବସେନାକୁ ସରକାର ଗଠନ ପାଇଁ ଏବେ ଏନ୍‌ସିପି (୫୪ ଆସନ) ଏବଂ କଂଗ୍ରେସ (୪୪ ଆସନ) ସହଯୋଗର ହାତ ବଢ଼ାଇଛନ୍ତି।

ସମ୍ବନ୍ଧିତ ଖବର