ବିଜେପିର ଗୋଆ ଶାସନ ରକ୍ଷା ଚିନ୍ତା, ପୂର୍ବ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ କରିପାରନ୍ତି ଘରବାହୁଡ଼ା

ପାନାଜି(ଗୋଆ): ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପରଲୋକ ପରିପ୍ରେକ୍ଷୀରେ ସେଠାରେ ବିଜେପି ନେତୃତ୍ବାଧୀନ ମେଣ୍ଟ ସରକାର ପାଇଁ ସଂକଟ ଚରମ ସୀମାରେ ପହଞ୍ଚିଛି। ଏଭଳି ସ୍ଥିତିରେ ସରକାର ବିଧାନସଭାରେ ବହୁମତ ହରାଇ ସାରିଥିବା ଦାବି କରି ଗତକାଲି କଂଗ୍ରେସ ସରକାର ଗଢ଼ିବାକୁ ରାଜ୍ୟପାଳଙ୍କ ପାଖରେ ଫେରାଦ ହେବା ଘଟଣା ବିଜେପିକୁ ଅଡୁଆରେ ପକାଇଦେଇଛି। ତେବେ ପରିସ୍ଥିତିକୁ ସମ୍ଭାଳିବା ପାଇଁ ଗତକାଲି ବିଜେପି ବିଧାୟକମାନଙ୍କର ଜରୁରୀ ବୈଠକ ପରେ ଆଜି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତଙ୍କ ଅତର୍କିତ ଦିଲ୍ଲୀ ଗସ୍ତକୁ ନେଇ ରାଜ୍ୟ ରାଜନୀତିରେ ନାନା ଗୁଞ୍ଜରଣ ସୃଷ୍ଟି ହୋଇଛି। ୨୦୦୫ରେ ବିଜେପିରୁ କଂଗ୍ରେସକୁ ଡେଇଁଥିବା କାମାତ ଘରବାହୁଡ଼ା କରି ମୁଖ୍ୟମନ୍ତ୍ରୀ ଦାୟିତ୍ବ ସମ୍ଭାଳିବେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ଅପରପକ୍ଷେ, ବ୍ୟକ୍ତିଗତ ବ୍ୟାପାରରେ ସେ ଦିଲ୍ଲୀ ଯାଉଛନ୍ତି ବୋଲି କାମାତ ସଂକ୍ଷିପ୍ତ ପ୍ରତିକ୍ରିୟା ରଖିଥିବା ବେଳେ ମେଣ୍ଟ ସହଯୋଗୀଙ୍କୁ ପାଖରେ ରଖିବା ଲାଗି ବିଜେପି ଏପରି ଗୁଜବ ଚଳାଇଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ତେବେ ଏ ପ୍ରସଙ୍ଗରେ ବିଜେପି ନେତାମାନଙ୍କ ନିରବତା ଏବଂ ସରକାର ଜାରି ରଖିବା ପାଇଁ ଦୃଢ଼ ବିକଳ୍ପ ବ୍ୟବସ୍ଥା ଥୟ ହୋଇଛି ବୋଲି ଇଙ୍ଗିତ କରିବା ଘଟଣା କାମାତଙ୍କ ଶାସନଭାର ସମ୍ଭାଳିବା ସମ୍ଭାବନାକୁ ଦୃଢ଼ କରିଛି। ସୂଚନାଯୋଗ୍ୟ, ଅତୀତର ଗୋଆ ରାଜନୀତିରେ ବିଜେପିର ଦ୍ବିତୀୟ ନେତୃକେନ୍ଦ୍ର ଥିବା କାମାତ ୨୦୦୫ରେ ବିଜେପି ଛାଡ଼ିଲା ପରେ କଂଗ୍ରେସ ଟିକେଟରେ ଲଢ଼ି ୨୦୦୭ରୁ ୨୦୧୨ ଯାଏ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ।

ସମ୍ବନ୍ଧିତ ଖବର