ବି‌ଜେପିର ଉପରାଷ୍ଟ୍ରପତି ପ୍ରାର୍ଥୀ ଧନଖଡ଼

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ବିଜେପି ଆଜି ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି। ଦିଲ୍ଲୀରେ ଅନୁଷ୍ଠିତ ‌ବିଜେପିର ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ, ନୀତିନ ଗଡ଼କରୀ, ରାଜନାଥ ସିଂହ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ବିଜେପି ଜାତୀୟ ସାଧାରଣ ସଚିବ ବିଏଲ୍‌ ସନ୍ତୋଷ ଉପସ୍ଥିତ ଥିଲେ। ବୈଠକ ପରେ ବିଜେପି ସଭାପତି ଜେପି ନଡ୍ଡା ସାମ୍ବାଦିକ ସମ୍ମିଳନୀ କରି ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଧନଖଡ଼ ହେଉଛନ୍ତି ଜଣେ ‘ଚା‌ଷୀ ପୁଅ’ ଯିଏ କି ନିଜକୁ ‘ଲୋକଙ୍କ ରାଜ୍ୟପାଳ’ ଭାବେ ପରିଚିତ କରାଇଛନ୍ତି।

ବର୍ତ୍ତମାନ ଉପରା‌ଷ୍ଟ୍ରପତି ଥିବା ଏମ୍‌ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୧୦ରେ ଶେଷ ହେଉଛି। ଏହା ପୂର୍ବରୁ ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ। ଜୁଲାଇ ୧୯ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। ଉଲ୍ଲେଖଯୋଗ୍ୟ ଯେ ରା‌ଷ୍ଟ୍ରପତି ନିର୍ବାଚନ ପରି ସମାନ ଢଙ୍ଗରେ ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟ ଇଲେକ୍ଟୋରାଲ କଲେଜ ଦ୍ବାରା ହେବ। ତେବେ ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ଲୋକସଭା ଏବଂ ରାଜ୍ୟସଭାର ନିର୍ବାଚିତ ଏବଂ ମନୋନୀତ ସଦସ୍ୟଙ୍କୁ ନେଇ ଗଠିତ ଇଲେକ୍ଟୋରାଲ୍‌ କଲେଜ ଭାଗ ନେବ। ଏହି ନିର୍ବାଚନରେ ରାଜ୍ୟମାନଙ୍କର କୌଣସି ଭୂମିକା ନାହିଁ। ସଂସଦରେ ବର୍ତ୍ତମାନ ମୋଟ୍‌ ସଦସ୍ୟ ୭୮୦। ନିର୍ବାଚନ ଜିତିବାପାଇଁ ଆବଶ୍ୟକ ସଂଖ୍ୟା ୩୯୦ ଥିବା ବେଳେ ବିଜେପି ନିକଟରେ ଅଧିକ ସଂଖ୍ୟା ଅଛି।

ରାଜସ୍ଥାନ ନିବାସୀ ୭୧ ବର୍ଷୀୟ ଧନଖଡ଼ ତାଙ୍କର କ୍ୟାରିୟର ଓକିଲ ଭ‌‌ାବେ ଅ‌ାରମ୍ଭ କରିଥ‌ିଲେ। ବିଜେପିରେ ଯୋଗ ଦେବା ପୂର୍ବରୁ ସେ ଜନତା ଦଳ ଏବଂ ପରେ କଂଗ୍ରେସ ସହ ସଂପୃକ୍ତ ଥିଲେ। ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ସେ ଜନତା ଦଳରୁ ଲୋକସଭା ସଭ୍ୟ ହୋଇଥିଲେ। ୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ସେ ରାଜସ୍ଥାନ ବିଧାନସଭାର ସଭ୍ୟ ଥିଲେ।

ସମ୍ବନ୍ଧିତ ଖବର