ରାଣୀ ଲକ୍ଷ୍ମୀବାଈଙ୍କ ନାମାନୁସାରେ ‘ଭିକ୍ଟୋରିଆ ମେମୋରିଆଲ୍‌’ର ପୁନଃନାମକରଣ କରିବାକୁ ଚାହୁଁଛି ବିଜେପି

ନୂଆଦିଲ୍ଲୀ: ‘କୋଲ୍‌କାତା ପୋର୍ଟ’ର ପୁନଃନାମକରଣ କରିବା ପରେ କୋଲ୍‌କତାସ୍ଥିତ ଶଙ୍ଖମର୍ମର (ମାର୍ବଲ୍‌) ପଥର ନିର୍ମିତ ବିଖ୍ୟାତ ଅଟ୍ଟାଳିକା ‘ଭିକ୍ଟୋରିଆ ମେମୋରିଆଲ୍‌’ର ନାମ ପରିବର୍ତ୍ତନ କରିବାକୁ ବିଜେପି ଦାବି କରିଛି।

ଟୁଇଟ୍‌ କରି ବରିଷ୍ଠ ବିଜେପି ନେତା ସୁବ୍ରମଣିୟାନ୍‌ ସ୍ୱାମୀ କହିଛନ୍ତି, ଇତିହାସର ସମୀକ୍ଷା କରାଯିବା ଉଚିତ ବୋଲି କୋଲ୍‌କାତାରେ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ମନ୍ତବ୍ୟକୁ ମୁଁ ସ୍ୱାଗତ କରୁଛି। ଭିକ୍ଟୋରିଆ ମେମୋରିଆଲ୍‌କୁ ରାଣୀ ଝାନ୍‌ସୀ ସ୍ମାରକ ମହଲ ଭାବେ ନାମିତ କରି ସେ ତାଙ୍କ ମନ୍ତବ୍ୟକୁ ସାକାର କରିବା ଉଚିତ। ୧୮୫୭ରେ ରାଣୀ ଝାନ୍‌ସୀଙ୍କୁ ପ୍ରତାରିତ କରି ରାଣୀ ଭିକ୍ଟୋରିଆ ଭାରତ ଦଖଲ କରି ୯୦ ବର୍ଷ ଧରି ଭାରତକୁ ଲୁଟ୍‌ କରିଥିଲେ।

‘ଭାରତୀୟ ଜନସଂଘ’ର ପ୍ରତିଷ୍ଠାତା ସଭାପତି ଡକ୍ଟର୍‌ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ନାମାନୁସାରେ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘କୋଲ୍‌କାତା ପୋର୍ଟ’ର ପୁନଃନାମକରଣ କରିଥିଲେ।

Image Source: India Today

‘କୋଲ୍‌କାତା ପୋର୍ଟ ଟ୍ରଷ୍ଟ୍‍’ର ୧୫୦ତମ ବାର୍ଷିକୀ ପାଳନ ଅବସରରେ ନେତାଜୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ବିଶାଳ ଜନସଭାରେ ପ୍ରଧାନମନ୍ତ୍ରୀ ଏ କଥା ଘୋଷଣା କରିଥିଲେ।

ସେ କହିଥିଲେ, ‘ବଙ୍ଗ ଏବଂ ‘କୋଲ୍‌କାତା ପୋର୍ଟ ଟ୍ରଷ୍ଟ୍‍’ ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଲାଗି ଆଜି ଦିନଟି ମହତ୍ତ୍ୱପୂର୍ଣ୍ଣ। ଏହା ହେଉଛି ଗୋଟାଏ ଐତିହାସିକ ବନ୍ଦର। ଏହି ବନ୍ଦର ଭାରତର ସ୍ୱାଧୀନତା ପ୍ରାପ୍ତି ଓ ତା’ର ବିକାଶ ଦେଖିଛି। ଏବେ ଏହାକୁ ‘ଡକ୍ଟର୍‌ ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦର’ କୁହାଯିବ। ଏହି ବନ୍ଦର ଭାରତର ଶିଳ୍ପ, ଆଧ୍ୟତ୍ମିକତା ଏବଂ ଆତ୍ମନିର୍ଭରଶୀଳ ଆକାଙ୍‌କ୍ଷାର ପ୍ରତିନିଧିତ୍ୱ କରୁଛି। ଆଜି ଏହି ବନ୍ଦର ତା’ର ୧୫୦ତମ ବାର୍ଷିକୀ ପାଳନ କରୁଥିବାଳେ ଏହାକୁ ନବ ଭାରତର ଶକ୍ତିଶାଳୀ ପ୍ରତୀକ  କରିବା ଆମର ଦାୟିତ୍ୱ।’

ସମ୍ବନ୍ଧିତ ଖବର