ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ବିଭାଜନ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ମଧ୍ୟରେ ରାଜନୈତିକ ଅସ୍ଥିରତା ଏବଂ ରାଜନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ତୀବ୍ର ହୋଇଛି। ବିରୋଧୀ ଦଳମାନେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସରକାରକୁ ହଟାଇବା ପାଇଁ ଏକ ଷଡଯନ୍ତ୍ର କରୁଛନ୍ତି ବୋଲି ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ସାଂସଦ ସଞ୍ଜୟ ରାଉତ ଏ ସମ୍ପର୍କରେ ବିଜେପିକୁ ଟାର୍ଗେଟ କରି ନିର୍ବାଚନ ତାରିଖ ସହ ଏହି ପ୍ରସଙ୍ଗକୁ ଯୋଡିଛନ୍ତି।

Advertisment

ସେ ଅଭିଯୋଗ କରିଛନ୍ତି ଯେ ବିଜେପି ସୋରେନ ସରକାରକୁ କ୍ଷମତାଚ୍ୟୁତ କରିବାକୁ ଚାହୁଁଛି ଏବଂ ସେଥିପାଇଁ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ।

ସଞ୍ଜୟ ରାଉତ କହିଛନ୍ତି ଯେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ନିର୍ବାଚନ ସ୍ଥଗିତ ରଖାଯାଇଛି କାରଣ ବିଜେପି ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଚାହୁଁଛି। ତାଙ୍କ ଦଳ ଭାଙ୍ଗିବାକୁ ଏବଂ ଝାଡଖଣ୍ଡରେ ଅସ୍ଥିରତା ଆଣିବାକୁ ବିଜେପି ଚାହୁଁଛି। ତେଣୁ ନିର୍ବାଚନ ସ୍ଥଗିତ ରଖାଯାଇଛି।

ସୂଚନାଯୋଗ୍ୟ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ଚମ୍ପାଇ ସୋରେନଙ୍କ ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଛି। ଚମ୍ପାଇ ରବିବାର ଦିଲ୍ଲୀରେ ପହଞ୍ଚି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଭାବରେ ସେ ଅନେକ ଅପମାନର ସମ୍ମୁଖୀନ ହୋଇଥିଲେ ଯାହା ପରେ ତାଙ୍କୁ ବିକଳ୍ପ ରାସ୍ତା ଖୋଜିବାକୁ ବାଧ୍ୟ କରିଥିଲା। ଭାରତୀୟ ଜନତା ପାର୍ଟିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ମଧ୍ୟରେ ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କ ମନ୍ତବ୍ୟ ଆସିଛି।

ଚମ୍ପାଇ ସୋରେନ୍ ଏକ୍ସରେ ଲେଖିଛନ୍ତି, ଏତେ ଅପମାନ ଏବଂ ଅବମାନନା ପରେ, ମୁଁ ଏକ ବିକଳ୍ପ ରାସ୍ତା ଖୋଜିବାକୁ ବାଧ୍ୟ ହେଲି। ସେ ଅଭିଯୋଗ କରିଛନ୍ତି ଯେ ଜୁଲାଇ ପ୍ରଥମ ସପ୍ତାହରେ ତାଙ୍କୁ ନ ଜଣାଇ ଦଳର ନେତୃତ୍ୱ ହଠାତ୍ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରିଦେଇଥିଲେ।

ଚମ୍ପାଇ ସୋରେନ୍ କହିଛନ୍ତି, ଜୁଲାଇ ୩ ରେ ମିଳିତ ମଞ୍ଚ ଦ୍ୱାରା ବିଧାନସଭା ଦଳର ଏକ ବୈଠକ ଡକାଯାଇଥିଲା ଏବଂ ମୋତେ କୁହାଯାଇଥିଲା ଯେ ସେପର୍ଯ୍ୟନ୍ତ ଆପଣ ମୁଖ୍ୟମନ୍ତ୍ରୀ ଭାବରେ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ ନାହିଁ। ସେ ପ୍ରଶ୍ନ କରିଛନ୍ତି, ଗଣତନ୍ତ୍ରରେ ଜଣେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବାତିଲ କରିବା ଅପେକ୍ଷା ଅଧିକ ଅପମାନଜନକ କିଛି ହୋଇପାରେ କି? ଚମ୍ପାଇ ସୋରେନ ଦାବି କରିଛନ୍ତି ଯେ ବିଧାନସଭା ଦଳର ବୈଠକ ଡାକିବାର ମୁଖ୍ୟମନ୍ତ୍ରୀଙ୍କର ଅଧିକାର ଅଛି, କିନ୍ତୁ ମୋତେ ବୈଠକର ଏଜେଣ୍ଡା ମଧ୍ୟ କୁହାଯାଇ ନାହିଁ।

ଆଉ ଅଧିକ ପଢ଼ନ୍ତୁ:https://sambad.in/india-and-beyond/4-people-who-are-not-able-to-hold-elections-together-in-the-state-are-ashamed-to-say-one-country-one-election-sanjay-raut-1183067/

ବୈଠକ ସମୟରେ ମୋତେ ଇସ୍ତଫା ଦେବାକୁ କୁହାଯାଇଥିଲା। ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। କିନ୍ତୁ ମୁଁ କ୍ଷମତା ପ୍ରତି ଆକର୍ଷିତ ହୋଇ ନ ଥିଲି, ତେଣୁ ମୁଁ ତୁରନ୍ତ ଇସ୍ତଫା ଦେଇଥିଲି। ମାତ୍ର ମୋର ଆତ୍ମ ସମ୍ମାନରେ ଆଘାତ ଯୋଗୁ ମୋ ହୃଦୟ ଭାଙ୍ଗିଗଲା। ସେ ଲେଖିଛନ୍ତି ଯେ ଭାବପ୍ରବଣ ହୋଇ ସେ ନିଜ ଲୁହକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିଲେ।