ପାଟନା (ବିହାର): ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ସୁପ୍ରିମୋ ତଥା ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ସୃଷ୍ଟି ହୋଇଥିବା ବିବାଦରୁ ଏବେ ରାଜନୈତିକ ଫାଇଦା ଉଠାଇବାକୁ ବିହାରର ଅନ୍ୟ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇ ଯାଇଥିବା ଦେଖିବା ପାଇଁ ମିଳିଛି।

Advertisment

ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ତାଙ୍କ ନବ ବିବାହିତା ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ଛାଡ଼ପତ୍ର ଦେବାପାଇଁ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ପରେ, ଲାଲୁଙ୍କ ପାରିବାରିକ ବିବାଦକୁ ନେଇ ବିହାରରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇ ଥିବା ଦେଖିବା ପାଇଁ ମିଳିଛି। ଏପ୍ରସଙ୍ଗରେ, ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା ବିହାରର ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଟୁଇଟ୍‌ କରି ଆର୍‌ଜେଡି ଓ ଲାଲୁ ପ୍ରସାଦଙ୍କ  ସମେତ ତାଙ୍କ ସାନପୁଅ ତେଜସ୍ୱୀ ଯାଦବଙ୍କୁ କଟାକ୍ଷ କରିଛନ୍ତି। ସୁଶୀଲ ମୋଦି କହିଛନ୍ତି ଯେଉଁ ବ୍ୟକ୍ତି ନିଜ ପରିବାର ଭିତରେ ନ୍ୟାୟ କରିପାରୁନାହିଁ ସେ ସମାଜକୁ ନ୍ୟାୟ ଦେବାକୁ ବାହାରିବା ବିଡ଼ମ୍ବନାର ବିଷୟ। ବିହାରର ଲକ୍ଷ ଲକ୍ଷ ଗରିବ ଓ ଅଶିକ୍ଷିତ ଲୋକଙ୍କୁ ଭୁଆଁ ବୁଲାଇ କୋଟି କୋଟି ଟଙ୍କାର ବେନାମୀ ସମ୍ପତ୍ତି କରିଥିବା ଲାଲୁ ପ୍ରସାଦ ଯାଦବ, ନିଜ ପରିବାରରେ ବଡ଼ପୁଅ ପ୍ରତି ଅନ୍ୟାୟ କରି ସାନପୁଅକୁ ଆଗକୁ ବଢ଼ାଇଛନ୍ତି।  ପରିବାରରେ ସବୁଠୁ ଅଧିକ ପାଠୁଆ ଝିଅକୁ ମଧ୍ୟ କଣଠେସା କରିଦେବାକୁ କୁଣ୍ଠାବୋଧ କରି ନାହାନ୍ତି ବୋଲି କହିଛନ୍ତି ସୁଶୀଲ ମୋଦି।


ସୁଶୀଲ ମୋଦିଙ୍କ ଏ ଟୁଇଟ୍‌କୁ ଏବେ ବିହାରରେ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି। ସୁଶୀଲ ମୋଦିଙ୍କୁ ଉତ୍ତର ଦେବାକୁ ଯାଇ ଆରଜେଡି ନେତା ବିଜୟ ପ୍ରକାଶ କହିଛନ୍ତି ଯେ, ଏଭଳି ପରିସ୍ଥିତିରେ ସୁଶୀଲ ମୋଦି ଟୁଇଟ୍‌ କରି ଟିପ୍ପଣୀ ଦେବା ତାଙ୍କ ଅଶୋଭନୀୟ ଆଚରଣର ପରିଚୟ ଦେଉଛି। ଏଥିସହ ପ୍ରଥମେ ସୁଶୀଲ ମୋଦି ତାଙ୍କ ନିଜ ଘରକୁ ସଜାଡ଼ନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ବିଜୟ ପ୍ରକାଶ। ଏଥିସହ ସୁଶୀଲ ମୋଦିଙ୍କ ବିରୋଧରେ ଅଭିଯୋଗ କରି ବିଜୟ ପ୍ରକାଶ କହିଛନ୍ତି ଯେ ଖୋଦ୍‌ ସୁଶୀଲ ମୋଦି ନିଜ ଘରେ ନିଜ ମା’ଙ୍କୁ ବନ୍ଦୀ କରି ରଖିଥିଲେ।  ତାଙ୍କ ନିଜ ଭଉଣୀ ତାଙ୍କ ବିରୋଧରେ ନ୍ୟାୟ ପାଇଁ ଲଢ଼ୁଛନ୍ତି। ତେଣୁ ସୁଶୀଲ ମୋଦିଙ୍କ ପକ୍ଷରେ ବୟାନବାଜି ଶୋଭା ପାଉନାହିଁ ବୋଲି ସେ କହିଛନ୍ତି। ସୁଶୀଲ ମୋଦିଙ୍କ ଟୁଇଟ୍‌ ପରେ ଆରଜେଡିର ଆହୁରି ବହୁ ନେତା ମଧ୍ୟ ସୁଶୀଲ ମୋଦିଙ୍କର ତୀବ୍ର ସମାଲୋଚନା କରିଛନ୍ତି।